ପାକିସ୍ତାନକୁ ପୁଣି ସମର୍ଥନ ଘୋଷଣା କଲା ଚାଇନା: ଆମେରିକା କହିଦେଲା ବଡ଼ କଥା

ନୂଆଦିଲ୍ଲୀ/ ୱାଶିଂଟନ,୨/୫: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନକୁ ସମର୍ଥନ ଘୋଷଣା କରିଛି ଚାଇନା। ଅନ୍ୟପକ୍ଷରେ, ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ମଧ୍ୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଫୋନରେ ଆଲୋଚନା କରି କହିଛନ୍ତି ଯେ, ତାଙ୍କ ଦେଶ ଭାରତର ଆତ୍ମରକ୍ଷା ଅଧିକାର ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇକୁ ସମର୍ଥନ କରୁଛି। ରାଜନାଥ ସିଂ ହେଗସେଥଙ୍କୁ କହିଛନ୍ତି ଯେ ପାକିସ୍ତାନ ଏକ ଆତଙ୍କବାଦୀ ଦେଶ ଭାବେ ପ୍ରମାଣିତ ହୋଇଛି, ଯିଏ ବିଶ୍ୱବ୍ୟାପୀ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ଅଞ୍ଚଳକୁ ଅସ୍ଥିର କରୁଛି। ବିଶ୍ୱ ଏବେ ଆତଙ୍କବାଦ ପ୍ରତି ଆଖି ବନ୍ଦ କରି ରହିପାରିବ ନାହିଁ।

 

ରାଜନାଥ ସିଂଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି, ଆମେରିକା ଭାରତ ସହ ଏକତା ସହ ଠିଆ ହୋଇଛି ଏବଂ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି। ଏଥିରେ କୁହାଯାଇଛି ଯେ ହେଗସେଥ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଆମେରିକୀୟ ସରକାରଙ୍କ ଦୃଢ଼ ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି।

 

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ରାଜନାଥ ସିଂ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ କହିଛନ୍ତି ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନମାନଙ୍କୁ ସମର୍ଥନ, ପ୍ରଶିକ୍ଷଣ ଏବଂ ଆର୍ଥିକ ସହାୟତା ପ୍ରଦାନର ଇତିହାସ ରହିଛି। ବିଶ୍ୱ ସମୁଦାୟ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆତଙ୍କବାଦର ଏଭଳି ନୃଶଂସ କାର୍ଯ୍ୟର ସ୍ପଷ୍ଟ ଭାବେ ଏବଂ ଏକ ସ୍ୱରରେ ନିନ୍ଦା କରାଯାଉ ଓ ବିରୋଧ କରାଯାଉ।

 

ଗୁରୁବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶେହବାଜ ଶରିଫଙ୍କ ସହ ଚାଇନା ରାଜଦୂତ ଜିୟାଙ୍ଗ ଜେଡୋଙ୍ଗଙ୍କ ସାକ୍ଷାତ ହୋଇଥିଲା। ଏହି ସମୟରେ ଚାଇନା ପାକିସ୍ତାନକୁ ସମର୍ଥନ କରିବା କଥା କହିଛି। ଏହା ପୂର୍ବରୁ ମଧ୍ୟ ଶେହବାଜ ଶରିଫଙ୍କ ବୟାନକୁ ସମର୍ଥନ କରି ଚାଇନା ପହଲଗାମ ଆକ୍ରମଣର ସ୍ୱାଧୀନ ତଦନ୍ତକୁ ସମର୍ଥନ କରିଥିଲା। ଚାଇନା ସର୍ବଦା ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେଇ ଆସୁଛି।

Share