ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ ନଷ୍ଟ ହେଉଛି। ପଦ୍ମପୁର ସହର ବ୍ଲକ କଲୋନୀ ପାର୍ଶ୍ୱରେ ଥିବା ଏକମାତ୍ର ଚିଲଡ୍ରେନ ପାର୍କ ବା ଶିଶୁ ଉଦ୍ୟାନ ଅବହେଳା ଯୋଗୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପାର୍କ ଭିତରେ ଥିବା ବିଭିନ୍ନ ଖେଳଣା ସାମଗ୍ରୀ ଭାଙ୍ଗି ରୁଜି ଗଲାଣି। ପ୍ରାୟ ୧୫ ବର୍ଷ ତଳେ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଦ୍ୱାରା ଏହି ପାର୍କ ନିର୍ମାଣ ହୋଇଥିଲା। ମାତ୍ର ପାର୍କ ନିର୍ମାଣର ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ନବୀକରଣ ହେଉନାହିଁ। ପାର୍କରେ ଥିବା ପ୍ଲାଷ୍ଟିକ ନିର୍ମିତ ଜୀବଯନ୍ତୁ, ପକ୍ଷୀ ଯେଉଁ ଟା ଶିଶୁ ମାନଙ୍କୁ ଆକୃଷ୍ଟ କରୁଥିଲା ତାହା ଭାଙ୍ଗି ଗଲାଣି। ପାର୍କରେଥିବା ଡଷ୍ଟବିନ, ଦୋଳିର ଅବସ୍ଥା କହିଲେ ନସରେ। ତେଣୁ ଏନଏସି ପ୍ରଶାସନ ଦୃଷ୍ଟି ଦେଇ ଏହାର ନବୀକରଣ କାମ କରିବା ପାଇଁ ସହର ବାସିନ୍ଦା ମତ ଦେଇଛନ୍ତି ।