ଖେମୁଣ୍ଡି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ‘ଶିଶୁ ଉତ୍ସବ’ ପାଳିତ

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): କୁନି କୁନି ଶିଶୁ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ରବିବାର ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହ ପରିସରରେ ଆଞ୍ଚଳିକ ଖେମୁଣ୍ଡି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଏକ ‘ଶିଶୁ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି।

ସଂଘ ସଭାପତି କେ. ଜବାହାରଲାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖେମୁଣ୍ଡି ଅଞ୍ଚଳର (ଦିଗପହଣ୍ଡି, ଚିକିଟି, ପାତ୍ରପୁର, ସାନଖେମୁଣ୍ଡି ଓ କୁକୁଡାଖଣ୍ଡି ବ୍ଲକ୍‌) ବହୁ ସଂଖ୍ୟକ ସଦସ୍ୟ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

ଜୁନିଅର ଓ ସିନିଅର ବର୍ଗର ଶିଶୁମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, କୁଇଜ୍, ନୃତ୍ୟ, ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୧୨ ଜଣ ବିଚାରକ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ। ସମସ୍ତ ବର୍ଗରୁ ୩ ଜଣ ଲେଖାଏଁ କୃତି ଶିଶୁଙ୍କୁ ସଂଘ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ପାତ୍ରପୁର ବ୍ଲକ ତୁରୁବୁଡ଼ି ଗ୍ରାମର ଶିଶୁ ଦିଶା ପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଦିଶା ଆଖିରେ କପଡ଼ା ବାନ୍ଧି ସହଜରେ ବହି ବା କାନ୍ଥର ଲେଖା ପଢ଼ିବା ଏବଂ କୌଣସି ଜିନିଷକୁ ସ୍ପର୍ଶ କରି ତାର ରଙ୍ଗ ଚିହ୍ନଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ।

ଏହି କାର୍ଯ୍ୟକ୍ରମଟି ଆଞ୍ଚଳିକ ମହିଳା ଓ ଯୁବକ ସେବା ସଂଘର ମିଳିତ ସହଯୋଗରେ ପରିଚାଳିତ ହୋଇଥିଲା। ସଂଘର ସମସ୍ତ କର୍ମକର୍ତ୍ତା ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।

Share