ଖେଳଣା ଭାବି ନାଗ ସାପକୁ କାମୁଡ଼ି ମାରିଦେଲା ବର୍ଷକର ଶିଶୁ, ଲୋକେ କହୁଛନ୍ତି ଚମତ୍କାର; ପୁରା ଘଟଣା…

ପାଟନା,୨୭।୭: ବିହାରର ପଶ୍ଚିମ ଚମ୍ପାରଣ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ବର୍ଷର ଶିଶୁ ଗୋବିନ୍ଦ କୁମାର ଏକ ନାଗ ସାପକୁ କାମୁଡ଼ି ମାରି ଦେଇଛି, ଯାହା ଫଳରେ ସାପର ମୃତ୍ୟୁ ହୋଇଛି, କିନ୍ତୁ ଶିଶୁଟି ସୁରକ୍ଷିତ ଅଛି। ଏହି ଘଟଣା ଶୁଣି ସମଗ୍ର ଅଞ୍ଚଳର ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଏହା କିପରି ଘଟିଲା ତାହା ନେଇ ଚର୍ଚ୍ଚା ଜୋର ଧରିଛି।
ମଝୌଲିଆ ପ୍ରଖଣ୍ଡର ମୋହଚ୍ଛି ବନକଟୱା ଗାଁରେ ଶୁକ୍ରବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି। ସୁନୀଲ ସାହାଙ୍କ ଏକ ବର୍ଷର ପୁତ୍ର ଗୋବିନ୍ଦ ନିଜ ଘରେ ଖେଳୁଥିବା ବେଳେ ଏକ ନାଗ ସାପ ତାଙ୍କ ଆଖିରେ ପଡ଼ିଥିଲା। ସେ ସାପକୁ ଖେଳଣା ଭାବି ହାତରେ ଧରି ଦାନ୍ତରେ କାମୁଡ଼ି ଦେଇଥିଲେ। ଶିଶୁଟି କାମୁଡ଼ିବା ମାତ୍ରେ ସାପର ତୁରନ୍ତ ମୃତ୍ୟୁ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଆତଙ୍କିତ ହୋଇ ଗୋବିନ୍ଦାକୁ ତୁରନ୍ତ ମଝୌଲିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବେତିଆ ରାଜକୀୟ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା।
ଗୋବିନ୍ଦଙ୍କ ଜେଜେ ମା’ ମାତେଶ୍ୱରୀ ଦେବୀ କହିଛନ୍ତି, “ଗୋବିନ୍ଦ ସାପକୁ ଖେଳଣା ଭାବି ଧରି ନେଇଥିଲା ଓ ହଠାତ ଦାନ୍ତରେ କାମୁଡ଼ି ଦେଇଥିଲା। ତା’ର କାମୁଡ଼ିବା ଫଳରେ କୋବ୍ରାର ତୁରନ୍ତ ମୃତ୍ୟୁ ହୋଇଗଲା।” ଗ୍ରାମବାସୀଙ୍କ କହିବା ଅନୁସାରେ, ଶିଶୁଟି ସାପକୁ ଦୁଇ ଖଣ୍ଡ କରି ଦେଇଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲା।
ବେତିଆ ରାଜକୀୟ ମେଡିକାଲ କଲେଜ ହସ୍ପିଟାଲର ଉପାଧୀକ୍ଷକ ଡକ୍ଟର ଦିବାକାନ୍ତ ମିଶ୍ର କହିଛନ୍ତି, “ଶିଶୁଙ୍କ ଶରୀରରେ ବିଷର କୌଣସି ଲକ୍ଷଣ ଦେଖାଯାଇ ନାହିଁ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ବିପଦ ମୁକ୍ତ।” ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଡକ୍ଟର ମିଶ୍ର ଆହୁରି କହିଛନ୍ତି, “ସାଧାରଣତଃ ଲୋକେ ନାଗ ସାପକୁ ଦେଖି ଭୟଭୀତ ହୁଅନ୍ତି, କିନ୍ତୁ ଗୋବିନ୍ଦ ସାପକୁ କାମୁଡ଼ି ଦେଇଛି।”
ସର୍ପ ବିଶେଷଜ୍ଞମାନେ କହିଛନ୍ତି, ଯଦି ସାପ ଶିଶୁକୁ କାମୁଡ଼ିଥାଏ ଏବଂ ଶିଶୁକୁ କିଛି ହୋଇ ନାହିଁ, ତେବେ ଦୁଇଟି କାରଣ ହୋଇପାରେ: ହୁଏତ ସାପଟି ବିଷାକ୍ତ ନ ଥିଲା, ଅଥବା ସାପ ଶିଶୁକୁ କାମୁଡ଼ିବା ପୂର୍ବରୁ ଶିଶୁ ତାକୁ କାମୁଡ଼ି ଦେଇଥିଲା। ବିଶେଷଜ୍ଞମାନେ ଆହୁରି କହିଛନ୍ତି, ଯଦି ସାପର ମେରୁଦଣ୍ଡ ଭାଙ୍ଗି ଯାଏ, ତେବେ ତା’ର ତୁରନ୍ତ ମୃତ୍ୟୁ ହୋଇପାରେ। ଏହି ମାମଲାରେ ଦ୍ୱିତୀୟ କାରଣର ସମ୍ଭାବନା ଅଧିକ।
ଏହି ଘଟଣା ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀ ଏହାକୁ ଦୈବୀୟ କୃପା ଓ ଶିଶୁର ସାହସର ପ୍ରତୀକ
ବୋଲି ମନେ କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେଉଛି, ଏବଂ ଲୋକେ ଏହି କୁନି ଶିଶୁର ସାହସିକତାର ପ୍ରଶଂସା କରୁଛନ୍ତି।