ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ସା ୪ ଟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ନାଲସା ଆଶା ଯୋଜନା୨୦୨୫ ଅଧୀନରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲା ଦୌରାଜଜ ନ୍ୟାୟାଧୀଶ ଶେଖ ମହମ୍ମଦ କଏସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲା ଆଇନ ସେବା ପ୍ରାଧୀକରଣ ସେକ୍ରେଟାରୀ ବ୍ୟୋମକେଶ ନାୟକ, ସିନିୟର ସିଭିଲ ଜଜ ଦେବାଶିଷ ବିଶୋଇ, ଉପ-ବିଭାଗୀୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ସୌମ୍ୟରଞ୍ଜନ ପୃଷ୍ଟି, ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଭିୟେନା ନାୟକ, ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଧାନ ଟୁଲିଆମା ପ୍ରମୁଖ ଯୋଗଦେଇ ଆଇନ ଉପରେ କହିଥିଲେ।
କାର୍ଯ୍ୟକ୍ରମରେ ଶିଶୁ ବିବାହ ନିଷେଧ ଆଇନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇ ଶିଶୁ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ବକ୍ତାମାନେ କହିଥିଲେ। ୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅଙ୍କ ବିବାହ ଆଇନତଃ ଅପରାଧ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ କାରାଦଣ୍ଡ ଓ ଅର୍ଥଦଣ୍ଡର ଶିକାର ହୋଇପାରନ୍ତି। ଶିଶୁ ବିବାହ ଶିଶୁମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ଭବିଷ୍ୟତ ଉପରେ ଗୁରୁତର କୁପ୍ରଭାବ ପକାଏ । ତେଣୁ ଏଥିପ୍ରତି ସଚେତନ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଆଇନ ସହାୟତା ସମିତି ସଦସ୍ୟ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ସଭ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ମାଗଣା ଆଇନ ସହାୟତା, ମହିଳା ଓ ଶିଶୁ ଅଧିକାର, ଏବଂ ଶିଶୁ ବିବାହ ରୋକିବା ପାଇଁ ସମାଜର ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏଥିସହ ବକ୍ତାମାନେ କହିଥିଲେ ଯେ ଏହି ପ୍ରକାର ଆଇନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବିବାହ ଭଳି ସାମାଜିକ କୁପ୍ରଥାକୁ ରୋକିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସମ୍ପର୍କରେ ସଚେତନତା
ବୃଦ୍ଧି ପାଇବ।