ଆଖି ସାମ୍ନାରେ ଜଳିଗଲେ ପିଲା, ଶିକ୍ଷକ ବଖାଣିଲେ ବିମାନ ଦୁର୍ଘଟଣାର ଛାତିଥରା କାହାଣୀ

ଢାକା,୨୨।୭: ସୋମବାର (୨୧ ଜୁଲାଇ, ୨୦୨୫) ଅପରାହ୍ନରେ ବାଂଲାଦେଶର ଢାକାରେ ଏକ ବାୟୁସେନା ତାଲିମ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ମାଇଲଷ୍ଟୋନ ସ୍କୁଲ ଏବଂ କଲେଜ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁର୍ଘଟଣା ପରେ ମାଇଲଷ୍ଟୋନ କଲେଜରେ ପଢୁଥିବା ୧୯ ବର୍ଷୀୟ ଛାତ୍ର ମାହିନ ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଆମେ ୭ମ ମହଲାରେ ଥିବା ଆମର ଶ୍ରେଣୀରୁ ତଳକୁ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲୁ। ଆମେ କେତେଜଣ ପିଲାଙ୍କୁ ସ୍କୁଲରୁ ଗୁରୁତର ଭାବରେ ଜଳି ବାହାରୁଥିବାର ଦେଖିଲୁ। ଆମେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥିଲୁ। ତଥାପି, ଉଦ୍ଧାର କାର୍ଯ୍ୟ ସମୟରେ ମାହିନ ମଧ୍ୟ ଚେତାଶୂନ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଉତ୍ତରା ମଡର୍ଣ୍ଣ ହସ୍ପିଟାଲକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହସ୍ପିଟାଲର ଉପନିର୍ଦ୍ଦେଶକ ଡାକ୍ତର ମହମ୍ମଦ ବଜଲୁର ରହମାନ କହିଛନ୍ତି ଯେ ଆହତମାନେ ଅପରାହ୍ନ ୧ଟା୫୦ରୁ ଆସିବା ଆରମ୍ଭ କରିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ୧୨ ରୁ ୧୬ ବର୍ଷ ବୟସର ଛାତ୍ର ଥିଲେ। ସେ କହିଛନ୍ତି, ପିଲାମାନଙ୍କ ମୁହଁ ଏବଂ ଶରୀରରେ ଅଧିକ ପୋଡ଼ି ଯାଇଥିଲା। ଆମେ ତୁରନ୍ତ ସେମାନଙ୍କୁ ବର୍ନ ୟୁନିଟ ପଠାଇବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଦେବା ଆରମ୍ଭ କରିଥିଲୁ। ଆହତ ଏବଂ ଅଚେତ ପିଲାମାନଙ୍କୁ ଦେଖିବା ପାଇଁ ବାପାମାଆ, ଭାଇଭଉଣୀ ଏବଂ ପଡ଼ୋଶୀମାନେ ଡାକ୍ତରଖାନାକୁ ଧାଇଁ ଆସିଥିଲେ। ହସ୍ପିଟାଲ ବାହାରେ ଚିତ୍କାର ଏବଂ କାନ୍ଦଣା ଶୁଣିବାକୁ ମିଳିଥିଲା।
ଡାକ୍ତରୀ ଛାତ୍ର ଫୈସଲ ଅହମ୍ମଦ ସରକାର କହିଛନ୍ତି, ଆମେ ଖବର ପାଇବା ମାତ୍ରେ, ଆମେ ସମସ୍ତେ ଏଠାକୁ ଆସିଥିଲୁ। ରକ୍ତଦାନ ଆବଶ୍ୟକ ହେଲେ ଆମେ ପ୍ରସ୍ତୁତ ଥିଲୁ। ଘଟଣାରେ ସର୍ବାଧିକ ପୋଡ଼ିଯାଇଥିବା ପ୍ରାୟ ୬୦ପୀଡିତଙ୍କୁ ଢାକା ମେଡିକାଲ କଲେଜ ଏବଂ ନ୍ୟାସନାଲ ବର୍ନ ପ୍ଲାଷ୍ଟିକ ସର୍ଜରୀ ଇନଷ୍ଟିଚ୍ୟୁଟ ପଠାଯାଇଥିଲା। ହସ୍ପିଟାଲ ଅଧିକାରୀଙ୍କ ଅନୁଯାୟୀ, ରକ୍ତର ଆବଶ୍ୟକତା ନଥିଲା କାରଣ ସେମାନଙ୍କୁ ପୂର୍ବରୁ ଉନ୍ନତ ସୁବିଧା ଥିବା ପ୍ରତିଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା।
ବିସ୍ଫୋରଣ ପରଠାରୁ ରଫିକୁଲ ଇସଲାମଙ୍କ ଭଣଜା ଆଫିୟା ନିଖୋଜ ଥିଲେ। କାନ୍ଦି କାନ୍ଦି ସେ କହିଥିଲେ, ‘ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। ଆମେ ସବୁଠି ଖୋଜୁଛୁ, ଆଶା କରୁଛି ସେ ସୁରକ୍ଷିତ ଅଛନ୍ତି।’ ଏହି ଯନ୍ତ୍ରଣାଦାୟକ ଦୁଃଖଦ ଘଟଣା ପରେ, ରାଜଧାନୀ ଢାକାରେ ଶୋକ ଏବଂ ନୀରବତା ବ୍ୟାପିଗଲା। ଅଧିକାରୀମାନେ କହିଛନ୍ତି ଯେ ବାୟୁସେନା ଅଧିକାରୀ ଏବଂ ଜରୁରୀକାଳୀନ ସେବାଗୁଡ଼ିକ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ପୂର୍ଣ୍ଣିମା ଦାସଙ୍କ ଅନୁସାରେ, ‘ଯେତେବେଳେ ମୁଁ ୫ ମିନିଟ ପରେ ଫେରିଲି, ସବୁଠି ପୋଡ଼ିଯାଇଥିବା ମୃତଦେହ ପଡ଼ିଥିଲା। ମୁଁ ଜାଣିନାହିଁ କାହିଁକି ମୋର କୌଣସି ଆଘାତ ଲାଗିଲା ନାହିଁ। ମୁଁ କିଛି ସମୟ ପୂର୍ବରୁ ସେହି ଶ୍ରେଣୀରୁ ବାହାରକୁ ଆସିଥିଲି। ମୋ ଆଖି ଆଗରେ ସେହି ନିଷ୍ପାପ ପିଲାମାନଙ୍କ ମୁହଁ ଝଲସି ଉଠୁଛି।’