କମ୍ପାନୀ ପ୍ରତିନିଧିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଭୁବନେଶ୍ୱର,୧୪ା୯: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରଠାରେ ଆୟୋଜନ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ଆୟୋଜନ କରାଯାଇଛି। ଉକ୍ତ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁମ୍ବାଇର ୧୫ କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି। ବିଶେଷକରି କ୍ରିସିଲ୍‌ ଲି., ନାଲ୍‌କୋ ଓ ସହଯୋଗୀ କମ୍ପାନୀ ଥାଇସେନ୍‌କ୍ରପ୍‌ ଇଣ୍ଡିଆ ଲି., ଆଇଏମ୍‌ପି ପାଓ୍ବାର ଲି., ରୋଚେନ୍‌ ସେପାରେସନ୍‌ ସିଷ୍ଟମ୍‌ (ଇଣ୍ଡିଆ) ପ୍ରା.ଲି. ଭଳି ପ୍ରମୁଖ କମ୍ପାନୀ ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ୍‌ ପୃଥକ୍‌ ଭାବେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶା ସରକାର ଜମିଯୋଗାଣ, ଉନ୍ନତମାନର ବିଦ୍ୟୁତ୍‌, ଶିଳ୍ପପୁଞ୍ଜ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ଭଳି ବ୍ୟବସ୍ଥା ଉପଲବ୍ଧ କରାଉଥିବା ବିଷୟ ମହାପାତ୍ର ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।