ବାଲେଶ୍ୱର,୯।୩( ବାଞ୍ଛାନିଧି ଦେ): ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୋମବାର ଅପରାହ୍ନରେ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ବାଲେଶ୍ୱର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ସମସ୍ତ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲାପାଳ ସୂର୍ଯବଂଶୀ ମୟୁର ବିକାଶ ଏହି ସମୀକ୍ଷା ବୈଠକରେ ଜିଲାର ବିଭିନ୍ନ ପ୍ରମୁଖ ପ୍ରକଳ୍ପ ଓ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।
ମୁଖ୍ୟ ଶାସନ ସଚିବ ଗର୍ଗ ଭୁବନେଶ୍ୱରରୁ ଆସି ସିଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ l ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କ ସମେତ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ସମୀକ୍ଷା ବୈଠକରେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।