ସ୍ବାଧୀନଙ୍କୁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ

ଗଞ୍ଜାମ,୯ା୧୦(ଅଖିଳ ତରାଇ): ସାପ ଓ ସରୀସୃପଙ୍କ ସୁରକ୍ଷା ତଥା ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନନ୍ୟ ଅବଦାନ ପାଇଁ ସ୍ନେକ ହେଲ୍ପ ଲାଇନ ସଂଯୋଜକ ସ୍ବାଧୀନ କୁମାର ସାହୁଙ୍କୁ ‘ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ’ରେ ଉପଖଣ୍ଡ ସ୍ତରରେ ସମ୍ମାନିତ କରାଯାଇଛି। ଗୁରୁବାର ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ସୱାଧୀନ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ସାପ ଉଦ୍ଧାର, ସାପ କାମୁଡ଼ା ରୋଗୀଙ୍କୁ ଚିକିତ୍ସାରେ ସହାୟତା ଏବଂ ଲୋକଙ୍କ ମଧ୍ୟରେ ସାପ ସଂରକ୍ଷଣ ସଚେତନତା ସୃଷ୍ଟି କରିବା ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ବନ ବିଭାଗର ସହଯୋଗରେ ସେ ସାପର ଅଣ୍ଡାରୁ ଛୁଆ ଫୁଟାଇ ସେଗୁଡ଼ିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ଅଲିଭ ରିଡ୍‌ଲେ କଇଁଛ ସୁରକ୍ଷା, ଆହତ ପକ୍ଷୀ ଏବଂ ଅନ୍ୟ ବନ୍ୟଜୀବଙ୍କ ଉଦ୍ଧାର ଓ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସଚେତନତା କର୍ମଶାଳା ମାଧ୍ୟମରେ ସେ ସାପ ସମ୍ପର୍କିତ ଭୟ ଓ ଭ୍ରାନ୍ତ ଧାରଣା ଦୂର କରି ଲୋକଙ୍କୁ ଶିକ୍ଷିତ କରୁଛନ୍ତି।
ରାଜ୍ୟ ଜଙ୍ଗଲ ବିଭାଗ ପ୍ରତିବର୍ଷ ଅକ୍ଟୋବର ମାସରେ ବନ୍ୟପ୍ରାଣୀ ସପ୍ତାହ ପାଳନ ସମୟରେ ଉପଖଣ୍ଡ ସ୍ତରରେ ଏହି ସମ୍ମାନ ପ୍ରଦାନ କରିଥାଏ। ସ୍ବାଧୀନଙ୍କର ଏହି କାର୍ଯ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି। ତାଙ୍କୁ ଏହି ସମ୍ମାନ ପାଇଁ ସମଗ୍ର ଜିଲାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ଏହି ଉଦ୍ୟମ ଅନ୍ୟମାନଙ୍କୁ ମଧ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।

Dharitri – Odisha’s No.1, Most Trusted Odia Daily

Share