ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ, ସ୍ଥିତି ପରଖିଲା…

ପାଟଣା,୩।୧(ବୀର କିଶୋର ଦାଶ): ଚଳିତ ବର୍ଷ ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈତରଣୀ ନଦୀରେ ବୁଡ଼ ପକାଇବେ। ଏଥିପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପାଟଣା ବ୍ଲକ ଘାଟ ବାଲିଯୋଡି ସ୍ଥିତ ଭିମକୁଣ୍ଡ ଓ ରାଜନଗର ରଘୁନାଥ ଜିଉ ମଠ ସଲଗ୍ନ ବୈତରଣୀ ନଦୀକୂଳ ପରିଦର୍ଶନ କରି ଫେରିଛନ୍ତି ।

ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ବିଶାଳ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ କୁମାର ନାଗଭୂଷଣ, ପାଟଣା ବିଡିଓ ମାନସ କୁମାର ଦଣ୍ଡ ପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଡୁମୁରିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ପାଇକରାୟ, ବ୍ଲକ ସହକାରୀ ଯନ୍ତ୍ରୀ ସୁସ୍ମିତା ବେହେରା, ଏପିଓ ଦୀପକ କୁମାର ବେହେରା , ଯନ୍ତ୍ରୀ ଖିଲା ରାମ ମୁର୍ମୁ, ରାଜନଗର ରେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ସରପଞ୍ଚ ସୁଧାଂଶୁ ନାଏକ,ରାଜନଗର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ଗତବର୍ଷ ପାଟଣା ପରମେଶ୍ବର ମନ୍ଦିର ସନ୍ନିକଟ ବୈତରଣୀ ନଦୀର ଅନୁସୂୟା ଘାଟରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଥିଲେ। ସେ ବୁଡ ପକାଇବା ପରେ ରାଜ୍ୟ ସରକାର ଉକ୍ତ ସ୍ଥାନର ଉନ୍ନତି କରଣ ପାଇଁ ପ୍ୟାକେଜ ଘୋଷଣା କରିଥିଲେ। ଏଥି ମଧ୍ୟରେ ଏହାକୁ ବର୍ଷେ ପୁରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।

ରାଜନଗର ବୈତରଣୀ ନଦୀଘାଟରେ ନଦୀକୁ ପାହାଚ ଥିବା ବେଳେ ଭୀମକୁଣ୍ଡରେ ପଥର ଖଣ୍ଡ ଉପରେ ପ୍ରଶାସନ କିଭଳି ରାସ୍ତା କରିବେ ସେ ନେଇ ଚିନ୍ତାରେ ପଡ଼ିଛି। ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନରେ ବୁଡ ପକାଇବେ ସେନେଇ ଚିତ୍ର ସ୍ପଷ୍ଟ ହୋଇ ନ ଥିବା ବେଳେ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Share