ଗୁଆହାଟୀ,୨୨ା୮: ଆସାମ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବପିଢ଼ିଙ୍କୁ ଆଉ ବର୍ଷେ ପାଇଁ ନୂଆ ଆଧାର କାର୍ଡ ଜାରି କରିବେ ନାହିଁ। ରାଜ୍ୟ କ୍ୟାବିନେଟ୍ରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। କେବଳ ଅନୁସୂଚିତ ଜାତି, ଜନଜାତି ଓ ଚା’ ବଗିଚା ଶ୍ରମିକମାନଙ୍କୁ ଆଧାର କାର୍ଡ ଜାରି ରହିବ। ଅନ୍ୟ ସମ୍ପ୍ରଦାୟର ଯେଉଁମାନେ ଏପର୍ଯ୍ୟନ୍ତ ଆଧାର କାର୍ଡ କରିନାହାନ୍ତି, ସେମାନଙ୍କୁ ସେପ୍ଟେମ୍ବର ମାସରେ ଆବେଦନ ପାଇଁ ସୁଯୋଗ ମିଳିବ। ଅତି ବିରଳ ମାମଲାରେ ଆବେଦନପତ୍ର ଓ୍ବିଣ୍ଡୋ ବନ୍ଦ ହେବା ପରେ ଆଧାର କାର୍ଡ ଇସ୍ୟୁ ନେଇ ଜିଲା କମିଶନର ନିଷ୍ପତ୍ତି ନେବେ।
ତେବେ ଏଥିପାଇଁ ଅନୁମୋଦନ କରିବା ପୂର୍ବରୁ କମିଶନରଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ରିପୋର୍ଟ ଓ ଫରେନର୍ସ ଟ୍ରିବ୍ୟୁନାଲ ରିପୋର୍ଟକୁ ଯାଞ୍ଚ କରିବାକୁ ହେବ। ବେଆଇନ ବିଦେଶୀ ବିଶେଷ କରି ବାଂଲାଦେଶୀମାନେ ଯେପରି ଆସାମରେ ଆଧାର କାର୍ଡ ନ ପାଆନ୍ତି ଓ ନିଜକୁ ଭାରତୀୟ ନାଗରିକ ଭାବେ ଦାବି ନ କରନ୍ତି, ସେଥିପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ୱଶର୍ମା କହିଛନ୍ତି।