ବୈଷ୍ଣୋଦେବୀ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ମାଧୋ ସିଂହଙ୍କ ପ୍ରତିଛବି ପ୍ରଦାନ କରି ଏମିତି ଦାବି କଲେ…

ବରଗଡ,୨୭।୧୧(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ସସ୍ତ୍ରୀକ ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗାସ୍ଥିତ ମାଁ ବୈଷ୍ଣୋଦେବୀ ମନ୍ଦିରକୁ ଆସିଥିଲେ। ସେ ତାଙ୍କ ଏହି ଗସ୍ତରେ ବୈଷ୍ଣୋଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସାଏଙ୍କୁ ମନ୍ଦିର କମିଟି ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବରଗଡ଼ ଜିଲା ଘେଁସ ମାଟିରେ ଶହୀଦ ମାଧୋ ସିଂହଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କ ପ୍ରମୁଖ ରଣସ୍ଥଳୀ ଛତିଶଗଡ଼- ଓଡ଼ିଶା ସୀମାନ୍ତରେ ଥିବା ସିଂଘୋଡ଼ା ଘାଟିରେ ସ୍ମୃତି ତୋରଣ, ସ୍ତମ୍ଭ କିମ୍ବା ସ୍ମାରକୀ ନିର୍ମାଣ କରିବା ପାଇଁ କୋଶଲ ଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ର ମୁଖ୍ୟମନ୍ତ୍ରୀ ସାଏଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ମାଧୋ ସିଂହଙ୍କ ଏକ ପ୍ରତିଛବି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉତ୍ତର ରାୟପୁର ବିଧାୟକ ପୁରନ୍ଦର ମିଶ୍ର, ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ପୂର୍ବତନ ବରଗଡ଼ ଲୋକସଭା ସାଂସଦ ଡଃ ପ୍ରଭାସ କୁମାର ସିଂ, ମନ୍ଦିର ପୂଜକ ସଦାନନ୍ଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Share
Tags: odisha