ଛତ୍ରପୁର,୨୮।୧୨(ଦିଲ୍ଲୀପ ସାମଲ): ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ ପାଇଁ ନୂଆବର୍ଷ ଭେଟି ହୋଇଥିଲା l ଦ୍ୱିତୀୟ ପର୍ଯ୍ୟାୟରେ ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲଟି ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୩୧୫୭୭ ୨୬/୧୨/୨୦୨୫ ତାରିଖରେ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରାଯାଇଛି। ଏହି ଖବର ପ୍ରଚାର ହେବା ପରେ ଆସିକା ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଛତ୍ରପୁର ଏନଏସିର ଜନସଂଖ୍ୟା, ଜନସଂଖ୍ୟର ସାନ୍ଧ୍ରତା, ସ୍ଥାନୀୟ ପ୍ରଶାସନ ନିମନ୍ତେ ସଂଗୃହିତା ରାଜସ୍ବ, ଅଣକୃଷିକ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଶତକଡା ହାର ଓ ଉକ୍ତ କ୍ଷେତ୍ରର ଅର୍ଥନୈତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଛତ୍ରପୁରକୁ କ୍ଷୁଦ୍ରତର ସହରାଞ୍ଚଳ ମାନ୍ୟତା ପ୍ରଦାନ କରାଯାଇଛି ।
ଏଥିସହ ଆପତ୍ତି ଅଭିଯୋଗ ପାଇଁ ୩୦ ଦିନ ସମୟ ଧାର୍ଯ୍ୟ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବହୁବର୍ଷ ଧରି ଛତ୍ରପୁରକୁ ମ୍ୟୁନିସିପାଲଟି ଗଠନ ପାଇଁ ଦାବି ହୋଇଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଛତ୍ରପୁର ନାଗରିକ, ଓକିଲ ସଂଘ, ବିଭିନ୍ନ ବ୍ୟବସାୟ ସଂଘ ଓ ସହର ବାସିନ୍ଦା ଏହି ଦାବି ଉଠାଇଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର ୨୦୨୪ ମସିହା ଫେବୃଆରୀ ୨୪ ତାରିଖରେ ଛତ୍ରପୁରକୁ ମ୍ୟୁନିସିପାଲଟି ଘୋଷଣା କରିଥିଲେ।ସାଧାରଣ ନିର୍ବାଚନ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଏହି ପ୍ରକ୍ରିୟା ଥମି ଯାଇଥିଲା । ପୁଣି ଏହି ବର୍ଷ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଛତ୍ରପୁର ମ୍ୟୁନିସିପାଲଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଳମ୍ବରେ ହେଲେ ମଧ୍ୟ ଛତ୍ରପୁର ପାଇଁ ଏହି ଘୋଷଣା ସ୍ବାଗତ ଯୋଗ୍ୟ। ଏହାଦ୍ୱାରା ବହୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି ଏବଂ ଖୁସି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily