Trent Boult of Mumbai Indians celebrates the wicket of Faf du Plessis of Chennai Superkings during match 41 of season 13 of the Dream 11 Indian Premier League (IPL) between the Chennai Super Kings and the Mumbai Indians held at the Sharjah Cricket Stadium, Sharjah in the United Arab Emirates on the 23rd October 2020. Photo by: Deepak Malik / Sportzpics for BCCI
ଶାରଜା, ୨୪।୧୦- ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା ଘାତକ ବୋଲିଂ ଏବଂ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ୧୧ ମ୍ୟାଚରୁ ୮ମ ପରାଜୟ ବରଣ କରିଥିବାରୁ ଚେନ୍ନାଇ ସୁପରକିଙ୍ଗ୍ସର ପ୍ଲେ-ଅଫ୍ ଆଶା ମଉଳି ଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ମୁମ୍ବାଇ ୧୨.୨ ଓଭରରେ କୌଣସି ଉଇକେଟ ନ ହରାଇ ୧୧୬ ରନ ସଂଗ୍ରହ କରି ନେଇଥିଲା। ଫଳରେ ଲୋ ସ୍କୋରିଂ ମ୍ୟାଚରେ ମୁମ୍ବାଇ ୧୦ ଉଇକେଟରେ ବିଜୟ ହାସଲ କରିଛି। ଦୁଇ ଓପନର ଇଶାନ କିଶନ ୩୭ ବଲ୍ରୁ ୬୮(୬ ଚୌକା, ୫ ଛକା) ଓ କ୍ୱିଣ୍ଟନ ଡି’କକ୍ ୩୭ ବଲ୍ରୁ ୪୬(୫ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଏଣିକି ଚେନ୍ନାଇ ଏହାର ଅବଶିଷ୍ଟ ୩ ମ୍ୟାଚ ଜିତିଲେ ମଧ୍ୟ ସିଧା ପ୍ଲେ-ଅଫ୍କୁ ଯାଇ ପାରିବ ନାହିଁ। ଅନ୍ୟ ମ୍ୟାଚ ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିବ।
ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଇଣ୍ଡିଆନ୍ସର କାମଚଳା ଅଧିନାୟକ କିରନ ପୋଲାର୍ଡ। ତାଙ୍କ ନିଷ୍ପତ୍ତି ଉଚିତ ସାବ୍ୟସ୍ତ ହୋଇଥିଲା। ମୁମ୍ବାଇର ଦୁଇ ମୁଖ୍ୟ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା ଘାତକ ବୋଲିଂ କରି ଚେନ୍ନାଇକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ଚେନ୍ନାଇ ୩ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। କେଦାର ଯାଦବ, ପୀୟୂଷ ଚାଓ୍ବଲା ଓ ଶେନ ଓ୍ବାଟସନଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ, ଏନ. ଜଗଦୀଶନ ଓ ଇମ୍ରାନ ତାହିରଙ୍କୁ ଖେଳାଇଥିଲା। ବୋଲ୍ଟ ନିଜ ପ୍ରଥମ ଓଭରର ୫ମ ବଲ୍ରେ ଗାଏକ୍ୱାଡ(୦)ଙ୍କୁ ଆଉଟ କରିଥିବାବେଳେ ବୁମ୍ରା ନିଜ ପ୍ରଥମ ଓଭରର ୪ର୍ଥ ଓ ୫ମ ବଲ୍ରେ ଯଥାକ୍ରମେ ଅମ୍ବାତି ରାୟୁଡ଼ୁ(୨) ଓ ଜଗଦୀଶନ(୦)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। କେବଳ ସେତିକି ନୁହେଁ ବୋଲ୍ଟ ନିଜ ଦ୍ୱିତୀୟ ଓଭରରେ ଫାଫ୍ ଡୁ’ପ୍ଲେସି(୧) ଓ ତୃତୀୟ ଓଭରରେ ରବୀନ୍ଦ୍ର ଜାଡେଜା(୭)ଙ୍କୁ ଆଉଟ କରି ଚେନ୍ନାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସତର୍କତାର ସହ ଖେଳିଥିଲେ ହେଁ ୧୬ ବଲ୍ରୁ ୧୬(୨ ଚୌକା, ୧ ଛକା) ରନ କରିଥିବାବେଳେ ରାହୁଲ ଚହରଙ୍କ ଶିକାର ହୋଇଥିଲେ। ଟେଲ୍ ଏଣ୍ଡର ଦୀପକ ଚହର(୦) ଓ ଶାର୍ଦ୍ଦୁଳ ଠାକୁର(୧୧) ମଧ୍ୟ ମୁମ୍ବାଇ ବୋଲରଙ୍କୁ ଖେଳିବାରେ ବିଫଳ ହୋଇଥିଲେ। ୪୩ ରନରେ ଚେନ୍ନାଇ ୭ ଉଇକେଟ ହରାଇଥିଲା। ତେବେ ୭ ନମ୍ବର ସ୍ଥାନରେ ଆସିଥିବା ସାମ୍ କୁରାନ ସାହସର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଦଳ ପକ୍ଷରୁ ସର୍ବାଧିକ ୫୨(୪୭ ବଲ, ୪ ଚୌକା, ୨ ଛକା) ରନ କରିବାରୁ ଚେନ୍ନାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୧୪ ରନ କରି ପାରିଥିଲା। ଇମ୍ରାନ ତାହିର ୧୩(୧୦ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ। ସାମ୍ ଓ ତାହିର ୯ମ ଉଇକେଟରେ ୪୩ ରନ ଯୋଗ କରିଥିଲେ। ଆଇପିଏଲରେ ୯ମ ଉଇକେଟ ଯୋଡ଼ିରେ ଏହା ରେକର୍ଡ ପାର୍ଟନରଶିପ୍। ମୁମ୍ବାଇ ବୋଲରଙ୍କ ମଧ୍ୟରେ ବୋଲ୍ଟ ୪ଟି, ବୁମ୍ରା ଓ ରାହୁଲ ଚହର ୨ଟି ଲେଖାଏ ଏବଂ ନାଥାନ କୁଲ୍ଟର-ନିଲ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୧୪/୯ (ସାମ୍ କୁରାନ-୫୨, ବୋଲ୍ଟ-୪/୧୮, ବୁମ୍ରା-୨/୨୫, ରାହୁଲ ଚହର-୨/୨୨, କୁଲ୍ଟର ନିଲ୍-୧/୨୫)। ମୁମ୍ବାଇ ଇଣ୍ଡିଆନ୍ସ ୧୨.୨ ଓଭରରେ ୧୧୬/୦(କିଶନ-୬୮*, ଡି’କକ୍-୪୬*)।