ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ନନ୍ଦକିଶୋର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମିନତୀ କୁମାରୀ ଜାନି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଚଷାନିମଖଣ୍ଡି କ୍ଲଷ୍ଟର ସିଆରସିସି (CRCC) ସିମାଞ୍ଚଳ ଗୌଡ଼ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୀତ ପାତ୍ର, ବିନୋଦ ଚନ୍ଦ୍ର କର, ସିମାଞ୍ଚଳ ସାହୁ, ହରିବନ୍ଧୁ ଦୋରା, ଡମ୍ବରୁଧର ପାଇକ, ବନମାଳୀ ହରିଜନ, ଶିବରାମ ନାୟକ ଏବଂ ରଞ୍ଜନ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।

ସହକାରୀ ଶିକ୍ଷକ ଆପନା ପତି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ବର୍ଷ ସାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।

ସଭା ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଶେଷ କରି ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ସନ୍ତୋଷ କୁମାର ବିଷୋୟୀଙ୍କଦ୍ୱାରା ରଚିତ ଶିକ୍ଷା ଭିତ୍ତିକ ସାମାଜିକ ନାଟକ ’ଗୁରୁ ସାକ୍ଷାତ ପରଂବ୍ରହ୍ମ’ସମସ୍ତଙ୍କ ମନ ମୋହିଥିଲା। ଏହି ନାଟକ ମାଧ୍ୟମରେ ସମାଜରେ ଗୁରୁଙ୍କ ଗୁରୁତ୍ୱ ଓ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଏହି ବାର୍ଷିକୋତ୍ସବକୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share