ପ୍ରେମିକା ପାଇଁ ଧର୍ମ ବଦଳାଇଲେ

ମୁମ୍ବାଇ: କମେଡିଆନ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସ୍‌ କିସ୍‌କୋ ପ୍ୟାର୍‌ କରୁଁ ୨’ ର ଟ୍ରେଲର୍‌ ବୁଧବାର ମୁକ୍ତିଲାଭ କରିଛି। ନିର୍ଦ୍ଦେଶକ ଯୋଡ଼ି ଆବ୍ବାସ-ମସ୍ତାନଙ୍କ ୨୦୧୫ର ହିଟ କମେଡି ଫିଲ୍ମର ଏହି ସିକ୍ୱେଲରେ କପିଲ ଶର୍ମା ପୁଣି ଥରେ ହାସ୍ୟରସ କାହାଣୀ ନେଇ ବଡ଼ ପରଦାକୁ ଫେରିଛନ୍ତି। ପ୍ରାୟ ୩ ମିନିଟର ଏହି ଟ୍ରେଲରେ କପିଲ ଶର୍ମାଙ୍କ ଚରିତ୍ରକୁ ଦେଖାଯାଇଛି, ଯିଏ ତାଙ୍କ ପ୍ରେମିକା ପାଇଁ ତିନି ଥର ଧର୍ମ ପରିବର୍ତ୍ତନ କରୁଛନ୍ତି ପ୍ରଥମେ ହିନ୍ଦୁରୁ ମୁସଲମାନ ଓ ପରେ ଖ୍ରୀଷ୍ଟିଆନ। କିନ୍ତୁ ସେ ତାଙ୍କ ଡ୍ରିମ ଗର୍ଲଙ୍କୁ ପାଉନାହାଁନ୍ତି, ବରଂ ’ଭୁଲ୍‌ରେ ତିନି ଭିନ୍ନ ଧର୍ମରୁ ଜଣେ ଲେଖାଏଁ ମହିଳାଙ୍କୁ ବିବାହ କରି ବଡ଼ ଅଡୁଆରେ ଫସି ଯାଉଛନ୍ତି।
ରାଜା ଏବଂ ତାଙ୍କର ତିନି ରାଣୀ’ ଥିବା ଏହି କାହାଣୀରେ କପିଲ ନିଜର ତିନି ପତ୍ନୀଙ୍କୁ ଜଣଙ୍କଠାରୁ ଅନ୍ୟ ଜଣକୁ ଲୁଚାଇ ରଖିବା ପାଇଁ ଭିନ୍ନ ଭିନ୍ନ ପରିଚୟ ବ୍ୟବହାର କରିବାର ଦୃଶ୍ୟ ରହିଛି। ଏହା ମଧ୍ୟରେ ତିନିଥର ବିବାହ କରିଥିବା ଜଣେ ବ୍ୟକ୍ତିକୁ ଖୋଜୁଥିବା ପୋଲିସର ପ୍ରବେଶ ପରିସ୍ଥିତିକୁ ଆହୁରି ଜଟିଳ କରିଛି। ଅନୁକଳ୍ପ ଗୋସ୍ବାମୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ କପିଲ ଶର୍ମାଙ୍କ ସହ ମନଜୋତ ସିଂ, ହିରା ୱାରିନା, ତ୍ରିଧା ଚୌଧୁରୀ, ପାରୁଲ ଗୁଲାଟି, ଆୟେଶା ଖାନ ପ୍ରମୁଖ ଭୂମିକାରେ ଅଛନ୍ତି। ଏହି କମେଡି ଫିଲ୍ମ ଆସନ୍ତା ମାସ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

 

Dharitri – The Largest & Most Trusted Odia Daily

Share