ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପଞ୍ଜାବ ଭାଜପା ମୁଖ୍ୟାଳୟ ବାହାରେ ଏକ ସ୍କୁଟିରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା କମ ଥିଲେ ମଧ୍ୟ ଏହାର ଶବ୍ଦ ଏତେ ଜୋରରେ ଥିଲା ଯେ ପାର୍କିଂରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ଘଟଣା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଗ୍ରେନେଡ ସଦୃଶ ଏକ ବସ୍ତୁକୁ ଭାଜପା କାର୍ଯ୍ୟାଳୟ ଆଡକୁ ଫିଙ୍ଗୁଥିବା ଦେଖାଯାଉଛି। ଆକ୍ରମଣକାରୀ ନିଜେ ଏହି ଘଟଣାର ଭିଡିଓ କରିଥିବା ସନ୍ଦେହ କରାଯାଉଛି। କାର୍ଯ୍ୟାଳୟ ବାହାରେ ଥିବା ଗଛରେ ବାଜି ଗ୍ରେନେଡ୍ଟି ପାଚେରୀ ପାଖରେ ପଡ଼ିଯାଇଥିଲା, ଯାହା ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଛି।
ଏହି ଆକ୍ରମଣର ଶୈଳୀ ପଞ୍ଜାବ ପୋଲିସ ଥାନା ଉପରେ ହୋଇଥିବା ପୁରୁଣା ଗ୍ରେନେଡ ଆକ୍ରମଣ ସହ ମିଶିଯାଉଛି। ଏହା ପଛରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ISI କିମ୍ବା ବିଦେଶରେ ଥିବା ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ଚଣ୍ଡୀଗଡ଼ ପୋଲିସ ସହ ପଞ୍ଜାବ ପୋଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (AGTF) ମଧ୍ୟ ଯାଞ୍ଚରେ ସାମିଲ ହୋଇଛି। ଯେଉଁ ସ୍କୁଟିରେ ବିସ୍ଫୋରଣ ହୋଇଛି, ତାହା କାହାର ଏବଂ ସେଠାରେ କିଏ ପାର୍କ କରିଥିଲା, ସେ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି।
ସିସିଟିଭିରେ ଦୁଇଜଣ ଯୁବକ ବାଇକ୍ରେ ଭାଜପା ଅଫିସ ଆଖପାଖରେ ବୁଲୁଥିବା ଦେଖାଯାଇଛି, ପୋଲିସ ସେମାନଙ୍କୁ ଟ୍ରେସ କରୁଛି। ପ୍ରାଥମିକ ତଦନ୍ତରୁ ଏହା ଏକ ’କ୍ରୁଡ୍ ବୋମା’ ବୋଲି ଜଣାପଡ଼ିଛି, ଯେଉଁଥିରେ ଗନ ପାଉଡର ବ୍ୟବହାର କରାଯାଇଛି।
ଏହି ଘଟଣାକୁ ନେଇ ପଞ୍ଜାବ ଭାଜପା ନେତା ବିନୀତ ଯୋଶୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଦିନ ଦ୍ୱିପ୍ରହରରେ ଭାଜପା ମୁଖ୍ୟାଳୟ ଭଳି ଏକ ସୁରକ୍ଷିତ ସ୍ଥାନରେ ବିସ୍ଫୋରଣ ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବର୍ତ୍ତମାନ ପାଇଁ ସେହି ଅଞ୍ଚଳକୁ ସିଲ କରାଯାଇଛି ଏବଂ ଫରେନସିକ ଟିମ ନମୁନା ସଂଗ୍ରହ କରୁଛନ୍ତି। ପୋଲିସ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛି।