ପଟ୍ଟାଙ୍ଗି/କୁନ୍ଦୁରା,୨ା୫(ଶରତ କୁମାର ଧଳ/ସନ୍ତୋଷ ପ୍ରହରାଜ): ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ୍ରେ ପୁକାଲି ନୋଡାଲ୍ ହାଇସ୍କୁଲର ଛାତ୍ର ଚନ୍ଦନ ବୁରୁଡି ଟପ୍ପର ହୋଇଛନ୍ତି। ଚନ୍ଦନ ୪୪୨ ମାର୍କ ରଖି ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି। ତାଙ୍କ ପାଇଁ ପୁକାଲି ହାଇସ୍କୁଲ ଗର୍ବିତ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଦୀପଶିଖା ବେହେରା କହିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ସହଯୋଗ ଓ ମା’ବାପାଙ୍କ ଆଶୀର୍ବାଦରେ ସେ ଏହି କୃତିତ୍ୱ ହାସଲ କରିଥିବା ଚନ୍ଦନ କହିଛନ୍ତି।
ସୂଚନାଯୋଗ୍ୟ,ଏହି ବିଦ୍ୟାଳୟରେ ମୋଟ ୭୯ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୮ ଜଣ ଫେଲ୍ ହୋଇଛନ୍ତି। ବି ୧ ଜଣେ, ବି ୨ ଜଣେ, ସି ଗ୍ରେଡ୍ରେ ୧୪, ଡିରେ ୪୩, ଇରେ ୧୨ ଜଣ ପାସ୍ ହୋଇଥିବା ଜଣାପଡ଼ିଛି। ବ୍ଲକ୍ ସଦର ମହକୁମା ନୋଡାଲ୍ ହାଇସ୍କୁଲର ୧୪୬ଛାତୀଛାତ୍ରଙ୍କ ମଧ୍ୟରୁ ୧୧୭ଜଣ ପାସ ହୋଇଛନ୍ତି।
କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ଲିମା ପଞ୍ଚାୟତ ସଦର ମହକୁମା ଆବାସିକ ବିଦ୍ୟାଳୟର ଛାତ୍ରୀ ସ୍ନେହାସ୍ମିତା ଚୌଧୁରୀ ମାଟ୍ରିକ୍ ପରୀକ୍ଷାରେ ବ୍ଲକ୍ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୫୩୦ ମାର୍କ ରଖି ୮୯%ରେ ବ୍ଲକ୍ ଟପ୍ପର ହୋଇଛନ୍ତି। କୁନ୍ଦୁରା ବ୍ଲକ୍ ଲିମା ନିକଟସ୍ଥ ଘିଉରିଆଗୁଡ଼ା ଗ୍ରାମର ଖଗେଶ୍ୱର ଚୌଧୁରୀ ଓ ଲକ୍ଷ୍ମୀ ଚୌଧୁରୀଙ୍କ ଏକମାତ୍ର ଝିଅ। ସ୍ନେହା ବିନା ଟିଉଶନ୍ରେ ପାଠ ପଢ଼ି ବ୍ଲକ୍ରେ ପ୍ରଥମ ହୋଇ ଗୌରବ ଆଣିଛନ୍ତି। ସେ ସୁରଭି କାର୍ଯ୍ୟକ୍ରମରେ ଓ ଜିଲା ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରରେ ପ୍ରଶଂସିତ ହୋଇ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କଠାରୁ ପୁରସ୍କୃତ ହୋଇଥିଲେ।