ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ କାର୍ଯ୍ୟରତ ଥିଲେ। କିଛିଦିନ ହେବ କିଡ୍‌ନୀ ରୋଗରେ ସେ ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୋମବାର ଚନ୍ଦାହାଣ୍ଡିସ୍ଥିତ ନିଜ ଘରକୁ ଫେରିଥିଲେ। ତେବେ ବୁଧବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ଦିଲୀପଙ୍କ ସ୍ତ୍ରୀ ଇନ୍ଦୁରେଖା, ଝିଅ ବର୍ଷା, ପୁଅ ଲିପୁନ, ପୁତୁରା ହିମାଂଶୁ, ଦୀପକ ପାଖରେ ଥିଲେ। ଦିଲୀପଙ୍କ ମୃତ୍ୟୁଖବର ପାଇ ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ କ୍ଷେମାରାଜ୍‌ ବାଗ, ଏମ୍‌ଡି ହୁସେନ, ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ, ଭାଜପା ନେତା ଆକୁଲ ଜାଲି, ଛତିଶଗଡ଼ ଗରିଆବନ୍ଧ ଜିଲା ପରିଷଦ ଅଧ୍ୟକ୍ଷ ଗୌରୀଶଙ୍କର କଶ୍ୟପ, ରାୟଗଡ଼ା ସଂସ୍କରଣ ମ୍ୟାନେଜର ବିକାଶ କୁମାର ପଲାଇ, ପ୍ରସାରଣ ବିଭାଗର ବିଶ୍ୱଜିତ୍‌ ପାଲଟାସିଂ, ଜିଲା ପ୍ରତିନିଧି ସଦାଶିବ ପ୍ରହରାଜ, ଝରିଗାଁ ପ୍ରତିନିଧି କିଶୋର ଚନ୍ଦ୍ର ମଣ୍ଡଳ, ଉମରକୋଟ ପ୍ରତିନିଧି ସନ୍ତୋଷ ଶତପଥୀ, ରାଇଘର ପ୍ରତିନିଧି କିରଣ ପଟ୍ଟନାୟକ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ। ଗାଁ ମଶାଣିରେ ଅନ୍ତିମ ସତ୍କାର କରାଯାଇଥିଲା। ପୁଅ ଲିପୁନ୍‌ ମୁଖାଗ୍ନି ଦେଇଥିଲେ।

Dharitri – Odisha’s No.1 Odia Daily