ନୂଆଦିଲ୍ଲୀ,୭।୨: ଜାରି ରହିଛି ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ଅତି ସହଜରେ ହରାଇ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି । ଫେବ୍ରୁଆରୀ ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦ୍ବିତୀୟ ଦିନିକିଆ ମୁକାବିଲା । ଏହା ପରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ମୁକାବିଲା । ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏଥିପାଇଁ ୧୫ ଜଣିଆ ଦଳ ଘୋଷଣା କରିଥିଲା BCCI । ଏଥର ଦମଦାର ଟିମ ପଡିଆକୁ ଓହ୍ଲାଇବ ।
ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେହିଭଳି ଶୁଭମନ ଗିଲଙ୍କୁ ଉପଅଧିନାୟକ ଭାବେ ଦଳରେ ସାମିଲ କରାଯାଇଛି । ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ସବୁଠୁ ବଡ କଥା ହେଉଛି ମହମ୍ମଦ ସିରାଜଙ୍କ ଭଳି ବୋଲରଙ୍କୁ ଦଳରୁ ବାଦ ଦିଆଯାଇଛି ।
ଦୀର୍ଘ ଦିନ ଧରି ଆହତ କାରଣରୁ ଦଳରୁ ବାଦ ପଡିଥିବା ମହମ୍ମଦ ଶାମିଙ୍କୁ ମିଳିଛି ସୁଯୋଗ । ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଏଥର କମାଲ କରିବେ ବୁମରାହ ଓ ଶାମି ଯୋଡି । ଆଉ ପେସ ବାହିନୀରେ ଉଭୟଙ୍କୁ ସହଯୋଗ କରିବେ ଅର୍ଶଦୀପ ସିଂହ । ସେହିଭଳି ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ବି ରହିଛନ୍ତି । ମୋଟ ୪ ଜଣ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇଛି । ଦୁଇ ଜଣ ବ୍ୟାଟିଂ ଅଲରାଉଣ୍ଡର ରହିଥିବା ବେଳେ ଆଉ ଦୁଇ ଜଣ ବୋଲିଂ ଅଲରାଉଣ୍ଡରଙ୍କୁ ମିଳିଛି ସୁଯୋଗ । ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ଟିମ ଇଣ୍ଡିଆ କେଉଁ ୧୧ ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇବ ତାହା ଉପରେ ସମସ୍ତଙ୍କ ନଜର । ସମ୍ଭାବ୍ୟ ପ୍ଲେଇଂ ଇଲେଭେନ ଉପରେ ନଜର ପକାନ୍ତୁ ।
କୋହଲିଙ୍କ ଉପରୁ ହଟିଛି ସସପେନ୍ସ । ଚର୍ଚ୍ଚା ହେଉଥିଲା କୋହଲିଙ୍କୁ ସୁଯୋଗ ମିଳିବନି । କିନ୍ତୁ ବିସିସିଆଇ ପୁଣି କୋହଲିଙ୍କ ଉପରେ ଭରସା କରିଛି । ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଥିବା ବେଳେ ମିଡିଲ ଅର୍ଡରରେ ପ୍ରମୁଖ ଭୂମିକା ତୁଲାଇବେ ସେ । ଉଭୟ କୋହଲି ଓ ଆୟରଙ୍କ ଉପରେ ଦଳ ବିଶେଷ ଭାବେ ର୍ନିଭର କରିବ । ସେହିଭଳି ଦଳରେ ଦୁଇ ଜଣ ଓ୍ବିକେଟ କିପରଙ୍କୁ ସାମିଲ କରାଯାଇଛି । ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କୁ ମିଳିଛି ସୁଯୋଗ । ତେବେ ରାହୁଲଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । କାରଣ ଦିନିକିଆରେ ଋଷଭ ପନ୍ତ ଏଯାଏ ନିଜକୁ ପ୍ରମାଣିତ କରିପାରିନାହାନ୍ତି ।
ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ ଓ ମହମ୍ମଦ ଶାମି