କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ପୂର୍ବରୁ ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ସମୟରେ ପାକିସ୍ତାନ ୩ ପ୍ରକାରର ଯୁଦ୍ଧ ବିମାନ ବ୍ୟବହାର କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି।
ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ କୌଣସି କ୍ରିକେଟ ଇଭେଣ୍ଟ ପାଇଁ, ପାକିସ୍ତାନ F-୧୬, JF-୧୭ ଏବଂ K-୮ ଭଳି ଲଢ଼ୁଆ ବିମାନ ଉଡ଼ାଇଛି, ଏହାର ଭିଡିଓ ଭାଇରାଲ ହେଉଛି। ଆମେରିକୀୟ ଯୁଦ୍ଧ ବିମାନ F-୧୬ ର ମୂଲ୍ୟ ୬୩ ମିଲିୟନ ଅର୍ଥାତ ପ୍ରାୟ ୫୪୭ କୋଟି ଟଙ୍କା। ଚାଇନାର JF-୧୭ ର ମୂଲ୍ୟ ୩୦ ରୁ ୪୦ ନିୟୁତ ଡଲାର, ଅର୍ଥାତ ପ୍ରାୟ ୨୬୦ ରୁ ୩୪୭ କୋଟି ଟଙ୍କା।
ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ପାଇଁ ଉଭୟ ଦଳର ଅଧିନାୟକ କରାଚୀର ମଇଦାନରେ ପାଦ ରଖିଥିଲେ। ଏହା ପରେ ଟସ୍ ପଡ଼ିଥିଲା, ଯେଉଁଥିରେ ପାକିସ୍ତାନୀ ଅଧିନାୟକ ମହମ୍ମଦ ରିଜୱାନ ଜିତିଥିଲେ। ସେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ମିଚେଲ ସାଣ୍ଟନରଙ୍କ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ପାକିସ୍ତାନ ବାୟୁସେନା ଲାଇଭ ମ୍ୟାଚ୍ ସମୟରେ ସେମାନଙ୍କର ଯୁଦ୍ଧ ବିମାନ ସହିତ ’ଶେର୍ ଦିଲ’ ନାମକ ଏକ ଏୟାର ଶୋ’ ପ୍ରଦର୍ଶନ କରିଥିଲା। ଏହି ସମୟରେ ୭ଟି ଯୁଦ୍ଧ ବିମାନ ଆକାଶରେ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।
ଏୟାର ଶୋ’ ପରେ ପାକିସ୍ତାନ ଦଳ ବୋଲିଂ ଆରମ୍ଭ କରିଥିଲା। ପାକିସ୍ତାନୀ ଓପନର ଫଖର ଜମାନ ମ୍ୟାଚ୍ର ଦ୍ୱିତୀୟ ବଲ୍ରେ ଆହତ ହୋଇଥିଲେ। ଶାହିନ ଆଫ୍ରିଦିଙ୍କ ବଲରେ ୱିଲ୍ ୟଙ୍ଗ କଭର ଆଡକୁ ଏକ ସଟ୍ ଖେଳିଥିଲେ। ଫଖର ତାକୁ ଧରିବା ପାଇଁ ଦ୍ରୁତ ଗତିରେ ଦୌଡ଼ି ଥିଲେ। ସେ ସୀମାରେ ପହଞ୍ଚି ବଲକୁ ଧରିବା ମାତ୍ରେ ଆଣ୍ଠୁ ମାଡ଼ି ପଡ଼ି ଯାଇଥିଲେ। ଫଳରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଛି। ଆଘାତ ଯନ୍ତ୍ରଣାଦାୟକ ଥିବାରୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା। ତାଙ୍କ ସ୍ଥାନରେ କାମରାନ ଗୁଲାମ ମଇଦାନକୁ ଆସିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଆଘାତର ଗମ୍ଭୀରତା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।