ଏନ୍‌ଇପିକୁ ଚ୍ୟାଲେଞ୍ଜ, ହିନ୍ଦୀକୁ ବିରୋଧ: ତାମିଲନାଡୁ ଆଣିଲା ନିଜସ୍ବ ଶିକ୍ଷାନୀତି

ଚେନ୍ନାଇ,୯ା୮(ପି.ଟି.):କେନ୍ଦ୍ରର ଏନ୍‌ଇପି ବିରୋଧରେ ତାମିଲାନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ରାଜ୍ୟର ନୂଆ ଶିକ୍ଷାନୀତି ଉନ୍ମୋଚନ କରିଛନ୍ତି। ଏନ୍‌ଇପି ସାମାଜିକ ନ୍ୟାୟ ବିରୋଧୀ ଥିଲା ଏବଂ ରାଜ୍ୟରେ ହିନ୍ଦୀ ଭାଷାକୁ ଲଦିଦେବା ଲକ୍ଷ୍ୟ ରହିଥିଲା ବୋଲି ଷ୍ଟାଲିନ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମାତୃଭାଷା ତାମିଲ ଆମ ପରିଚୟ ଓ ଗର୍ବ। ରାଜ୍ୟରେ କେବଳ ତାମିଲ ଏବଂ ଇଂଲିଶ ଦ୍ୱିଭାଷୀ ନୀତି କାର୍ଯ୍ୟକାରୀ ହେବ। ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ନୂଆ ରାଜ୍ୟ ଶିକ୍ଷାନୀତି (ଏସ୍‌ଇପି) ଅଣାଯାଇଛି। ଏଥିରେ ବିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଇଂଲିଶକୁ ପ୍ରାଧାନ୍ୟ ଦିଆଯାଇଛି।
ନୂଆ ଚିଠା ଶିକ୍ଷାନୀତି ପ୍ରସ୍ତୁତି ଲାଗି ୨୦୨୨ରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ବିଚାରପତି ମୁରୁଗେସନଙ୍କ ଅଧ୍ୟକ୍ଷତାରେ ୧୪ ଜଣିଆ କମିଟି ଗଠନ କରିଥିଲେ। କମିଟି ଗତମାସରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସୁପାରିସ୍‌ କରିଥିଲାବେଳେ ଶୁକ୍ରବାର କୋଟ୍ଟୁରପୁରମ୍‌ସ୍ଥିତ ଆନ୍ନା ସେଣ୍ଟେନାରି ଲାଇବ୍ରେରି ଅଡିଟୋରିୟମ୍‌ରେ ଉକ୍ତ ଶିକ୍ଷାନୀତିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତିରେ ଥିବା ତ୍ରିଭାଷୀ ସୂତ୍ରକୁ ରାଜ୍ୟ ଶିକ୍ଷାନୀତିରେ ପ୍ରତ୍ୟାଖ୍ୟାନ କରାଯାଇଛି। ସାଧାରଣ ପ୍ରବେଶିକା ପରୀକ୍ଷା ପରିବର୍ତ୍ତେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ମିଳିତ ନମ୍ବର ଆଧାରରେ କଳା ଓ ବିଜ୍ଞାନ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଏଥିରେ ସୁପାରିସ କରାଯାଇଛି। ସେହିପରି ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ସାଧାରଣ ପରୀକ୍ଷା ପାଇଁ ଏନ୍‌ଇପିରେ ଥିବା ପ୍ରସ୍ତାବକୁ ରାଜ୍ୟ ଶିକ୍ଷାନୀତିରେ ବିରୋଧ କରାଯାଇଛି। ଏଭଳି ପରୀକ୍ଷା ସାମାଜିକ ନ୍ୟାୟ ବିରୋଧୀ ଏବଂ ଅଧିକ ସଂଖ୍ୟାରେ ପିଲାମାନେ ପାଠପଢ଼ା ଛାଡ଼ିବାର ସମ୍ଭାବ୍ୟ କାରଣ ତଥା ଶିକ୍ଷାର ବ୍ୟବସାୟୀକରଣ ବୋଲି ଏନ୍‌ଇପିରେ ଉଲ୍ଲେଖ ରହିଛି। କମିଟି ବିଜ୍ଞାନ, ଏଆଇ ଏବଂ ଇଂଲିଶକୁ ସର୍ବାଧିକ ପ୍ରାଧାନ୍ୟ ଦେବା ସହ ରାଜ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶ ଲାଗି ପ୍ରସ୍ତାବ ଦେଇଛି। ଶିକ୍ଷାକୁ ଯୁଗ୍ମ ତାଲିକାରୁ ରାଜ୍ୟ ତାଲିକାକୁ ଫେରାଇ ଆଣିବାକୁ କମିଟି ସୁପାରିସ କରିଛି।
ସିବିଏସ୍‌ଇ, ଆଇସିଏସ୍‌ଇ, ରାଜ୍ୟ ବୋର୍ଡ ସମେତ ସମସ୍ତ ବୋର୍ଡରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ତାମିଲ ଭାଷା ପଢ଼ିବେ ବୋଲି ତାମିଲନାଡୁ ଶିକ୍ଷାମନ୍ତ୍ରୀ ଅନବିଲ୍‌ ମହେଶ କହିଛନ୍ତି। ଏହି ଶିକ୍ଷାନୀତି ପ୍ରସ୍ତୁତ ପାଇଁ କମିଟିକୁ ଗୋଟିଏ ବର୍ଷ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।
ଏହା ଅନ୍ୟ କୌଣସି ରାଜ୍ୟରୁ ଉଧାର ଅଣାଯାଇ ନ ଥିବା ସେ କହିଛନ୍ତି। ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରରାଜନ ତାମିଲନାଡୁ ଶିକ୍ଷାନୀତିକୁ ‘ରାଜ୍ୟ ଅହଂକାରୀ ନୀତି’ କହି ନିନ୍ଦା କରିଛନ୍ତି। ପାଣ୍ଠି ମଞ୍ଜୁରୀକୁ ନେଇ କେନ୍ଦ୍ର-ରାଜ୍ୟ ଉତ୍ତେଜନା ଲାଗିରହିଥିବାବେଳେ ଷ୍ଟାଲିନ୍‌ ସରକାର ନୂଆ ଶିକ୍ଷାନୀତି ଆଣିଛନ୍ତି। ଡିଏମ୍‌କେ ସରକାର ଏନ୍‌ଇପି ଲାଗୁ କରିବାକୁ ମନା କରିବାରୁ ସମଗ୍ର ଶିକ୍ଷା ଯୋଜନାରୁ କେନ୍ଦ୍ର ୨,୧୫୨ କୋଟି ଟଙ୍କା ପ୍ରତ୍ୟାହାର କରିନେଇଥିବା ତାମିଲନାଡୁ ଅଭିଯୋଗ କରିଥିଲା। ରାଜ୍ୟ ସରକାର ଏନ୍‌ଇଇଟିକୁ ଗ୍ରହଣ କଲେ ପାଣ୍ଠି ମଞ୍ଜୁର କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିତ୍ଲେ। ତେବେ ସେମାନେ ଯଦି ୧,୦୦୦ କୋଟି ଦିଅନ୍ତି, ତଥାପି ଆମେ ଏନ୍‌ଇପି ଲାଗୁ କରିବୁ ନାହୁଁ ବୋଲି ଉଦୟନିଧି ଷ୍ଟାଲିନ୍‌ କହିଥିଲେ।

Share