Mumbai: Maharashtra CM Eknath Shinde with rebel Shiv Sena MLAs during the Special session of Maharashtra Assembly, at Vidhan Bhavan in Mumbai, Monday, July 4, 2022. (PTI Photo/Kunal Patil)(PTI07_04_2022_000040B)
ନୂଆଦିଲ୍ଲୀ, ୯।୭(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ଭାଜପା ଏବଂ ଶିବସେନା ଓ ଅନ୍ୟ କେତେଜଣ ବିଧାୟକଙ୍କୁ ମିଶାଇ ୧୬୪ଜଣଙ୍କ ସମର୍ଥନ ମିଳିଛି। ତେବେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ କରି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଗୋଷ୍ଠୀ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ଆସନ୍ତା ୧୧ରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଅବକାଶକାଳୀନ ଖଣ୍ଡପୀଠ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଜେ.କେ. ମାହେଶ୍ୱରୀ କହିଛନ୍ତି ଯେ, ୧୧ ତାରିଖ ପୂର୍ବରୁ ଉକ୍ତ ଆବେଦନକୁ ତାଲିକାଭୁକ୍ତ କରାଯିବ।
ଭାଜପା ସମର୍ଥନରେ ମେଣ୍ଟ ସରକାର ଗଢ଼ିବାକୁ ଶିନ୍ଦେଙ୍କୁ ରାଜ୍ୟପାଳ ନିମନ୍ତ୍ରଣ କରିବା ନିଷ୍ପତ୍ତିକୁ ଶିବସେନା ନେତା ସୁଭାଷ ଦେଶାଇଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମାତ୍ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ୧୧ରେ ସୁପ୍ରିମ୍କୋର୍ଟରେ ହେବାକୁ ଥିବା ୧୬ ଶିବସେନା ବିଧାୟକଙ୍କ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ ମାମଲାର ଶୁଣାଣି ସହିତ ଏହି ନୂଆ ଆବେଦନକୁ ତାଲିକାଭୁକ୍ତ କରିବା ନିମନ୍ତେ କୋର୍ଟରେ ନିବେଦନ କରାଯାଇଥିଲା ବୋଲି କାମାତ୍ କହିଛନ୍ତି। ଏହାସହ ଠାକ୍ରେ ଗୋଷ୍ଠୀ ପକ୍ଷରୁ ଗତ ୩ ଓ ୪ ତାରିଖ ବିଧାନସଭା ପ୍ରୋସିଡିଂକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ସେହି ଦୁଇଦିନରେ ବାଚସ୍ପତି ନିର୍ବାଚନ ଏବଂ ଆସ୍ଥା ଭୋଟ ହୋଇଥିଲା। ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ବିଦ୍ରୋହ ଯୋଗୁ ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ମହାବିକାଶ ଅଘାଡ଼ି (ଏମ୍ଭିଏ) ସରକାରର ପତନ ଘଟିଥିଲା।