ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ନରେଶ ଏକାଦଶ-ଆୟୋଜକ ମୁକାବିଲା

ଭଞ୍ଜନଗର,୯ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳପଡ଼ିଆରେ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଗୁରୁବାର ଦୁଇଟି ସେମି ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ । ଏଥିସହ ବିଧାୟକ ନାୟକ ତାଙ୍କ ଭାଷଣରେ କହିଥିଲେ ଯେ, ଆଗାମୀ ଦିନରେ ଜାତୀୟ ସ୍ତରର ମ୍ୟାଚ ଏଠାରେ କରାଯିବ। ଏଥିପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି,ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଗୌଡ଼, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଥମ ସେମି ଫାଇନାଲ ମ୍ୟାଚ ଭଞ୍ଜନଗର ନରେଶ ଏକାଦଶ ଓ ବଉଦ ମଧ୍ୟରେ ମ୍ୟାଚ ହୋଇଥିଲା। ଏଥିରେ ଭଞ୍ଜନଗର ନରେଶ ଏକାଦଶ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଦିତୀୟ ସେମି ଫାଇନାଲ ମ୍ୟାଚ ଆୟୋଜକ ଭଞ୍ଜନଗର ଫୁଟବଲ କ୍ଳବ ସହ ଭୁବନେଶ୍ୱର ଫ୍ରେଣ୍ଡସ୍‌ ପାରାଡାଇଜ କ୍ଲବ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏଥିରେ ଭଞ୍ଜନଗର ଫୁଟବଲ କ୍ଲବ ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ଗୁଡ଼ିକୁ ଜାତୀୟ ରେଫରି ସୁବ୍ରତ କୁମାର ପୁରୋହିତ, ରାଜ୍ୟ ସ୍ତରୀୟ ରେଫରୀ ପି. ରମେଶ, ସଲିଲ କୁମାର ବେହେରା , ବାପୁନା ସିଂ,ବିଚିତ୍ର ଜେନା, ମ୍ୟାଚ୍‌ କମିଶନର ପି ଆନନ୍ଦ ରାଓ ପରିଚାଳନା କରିଥିଲେ। ଶୁକ୍ରବାର ଫାଇନାଲ ମ୍ୟାଚ୍‌ ଦୁଇ ଭଞ୍ଜନଗର ଟିମ୍‌ ମଧ୍ୟରେ ହେବ। ଆସନ୍ତାକାଲି ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଶାନ୍ତ ମହାନ୍ତି ଧାରା ବିବରଣୀ ପ୍ରଦାନ କରିଥିଲେ।

Dharitri – Odisha’s No.1, Most Trusted Odia Daily

Share