ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ, ଯାତ୍ରାର ସୁବିଧା ଅସୁବିଧା ଓ ପରିଚାଳନା ନେଇ ଗୁରୁବାର ତାରାତାରିଣୀ ପୀଠରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଗଞ୍ଜାମ ଜିଲାପାଳ ଭି. ର୍କିତ୍ତୀ ୱାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରିଗୋଟି ମଙ୍ଗଳବାର ପାଳି ଯାତ୍ରାର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ କିଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିଲା, ସେ ନେଇ ସେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ଯାତ୍ରା ସମୟରେ ଯଦି କିଛି ତ୍ରୁଟି ପରିଲକ୍ଷିତ ହୋଇଥାଏ, ତେବେ ଆଗାମୀ ବର୍ଷରେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସଜାଡ଼ି ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ମନ୍ଦିରର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରାଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲାପାଳ ପ୍ରଶଂସା କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ବିନୋଦ ଯାତ୍ରାର ମୁଖ୍ୟ ଦାୟିତ୍ୱ ବହନ କରି ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଛତ୍ରପୁର ଉପଜିଲାପାଳ ଶୁଭାଶିଶ ବରାଳଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲାପାଳ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ  ଜିଲାପାଳଙ୍କର ଏକ ସରଳ ଓ ନିଆରା ରୂପ ଦେଖିବାକୁ ମିଳିଥିଲା। ସେ ସମସ୍ତଙ୍କ ଗହଣରେ ତଳେ ବସି ମା’ଙ୍କ ପ୍ରସାଦ ସେବନ କରିଥିଲେ, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Dharitri – Odisha’s No.1 Odia Daily

Share