ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର ଶନିବାର ପଞ୍ଚମ ଦିବସ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସ୍ଥାନୀୟ ଦୁର୍ଗା ପରିବାର ପକ୍ଷରୁ ମା’ଙ୍କ ପବିତ୍ର ଘଣ୍ଟକୁ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଥିଲା। ସାରେ ମା’ଙ୍କ ଘଣ୍ଟ ଦୁର୍ଗା ପରିବାରରେ ପହଞ୍ଚିବା ପରେ ପୂଜକ ଡମ୍ବରୁଧର ପୂଜାରୀଙ୍କ ଦେହରେ କାଳିସୀ ଲାଗି ହୋଇଥିଲା।
ପୂର୍ବ ପରମ୍ପରା ମୁତାବକ, ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ ଶସ୍ୟ ଓ ଧାନ ଦ୍ୱାରା ନିର୍ମିତ ‘ଧାନ ପୁଞ୍ଜି’ ଉପରେ ମା’ଙ୍କ ଘଣ୍ଟକୁ ସ୍ଥାପନ କରାଯାଇଥିଲା। ଏହି ସମୟରେ ପରିବାରର ଅନେକ କାଳିସୀଙ୍କ ଦେହରେ ଦେବତା ପ୍ରବେଶ କରିଥିଲେ ଏବଂ ସମସ୍ତେ ଗୋଟିଏ ପରେ ଗୋଟିଏ କଣ୍ଟା ଦୋଳିରେ ଝୁଲି ଦର୍ଶକଙ୍କୁ ଦର୍ଶନ ଦେଇଥିଲେ।
ଏଥିରେ ଦୁର୍ଗା ପରିବାରର ପୂଜକ ଜଗତରାମ ଦୁର୍ଗା, ରାମେଶ୍ୱର ଦୁର୍ଗା, ଅଜିତ କୁମାର ଦୁର୍ଗା, ଗୌତମ ଦୁର୍ଗା, ଚୈତନ୍ୟ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମା’ଙ୍କ ଘଣ୍ଟ ସହ ପୂଜକ ଯୁବକଲାଲ ପରିଚ୍ଛା, ପ୍ରହ୍ଲାଦ ପୂଜାରୀ, ବିଷ୍ଣୁ ପୂଜାରୀ ଉପସ୍ଥିତ ଥିଲେ।
ମାନସିକ ପୂରଣ ପାଇଁ ବହୁ ଶ୍ରଦ୍ଧାଳୁ କୁକୁଡ଼ା, ପାରା, ନଡ଼ିଆ ଓ ହଳଦୀ ଆଦି ଅର୍ପଣ କରିଥିଲେ। ବଂଶାନୁକ୍ରମିକ ଭାବେ ଦୁର୍ଗା ପରିବାର ପକ୍ଷରୁ ପ୍ରତିବର୍ଷ ଏହି ଯାତ୍ରା ପାଳନ କରାଯାଇ ଆସୁଛି।