କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ପ୍ରଧାନ ବିଚାରପତି, କଡ଼ା ଭାଷାରେ ଶୁଣାଇଲେ

ନୂଆଦିଲ୍ଲୀ,୪।୧୧: ଟ୍ରିବ୍ୟୁନାଲ୍ ରିଫର୍ମସ (ଯୁକ୍ତିଯୁକ୍ତକରଣ ଏବଂ ସେବା ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ଏକ ବଡ଼ ଖଣ୍ଡପୀଠ (five-judge bench)କୁ ପଠାଇବା ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁତର ସହ ନେଇଛନ୍ତି। ପ୍ରଧାନ ବିଚାରପତି (CJI) ବି.ଆର୍. ଗଭାଇ କ୍ଷୁବ୍ଧ ହୋଇ କହିଛନ୍ତି ଯେ ଶୁଣାଣିର ଶେଷ ପର୍ଯ୍ୟାୟରେ ସରକାରଙ୍କଠାରୁ ଏପରି ଆଶା କରାଯାଉ ନ ଥିଲା।

୨୦୨୧ ମସିହାର ଏହି ଅଧିନିୟମ ଫିଲ୍ମ ସାର୍ଟିଫିକେସନ୍ ଆପିଲେଟ୍ ଟ୍ରିବ୍ୟୁନାଲ୍ ସମେତ ଅନେକ ଆପିଲେଟ୍ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବା ସହ ବିଭିନ୍ନ ଟ୍ରିବ୍ୟୁନାଲରେ ବିଚାର ବିଭାଗୀୟ ତଥା ଅନ୍ୟାନ୍ୟ ସଦସ୍ୟଙ୍କ ନିଯୁକ୍ତି ଏବଂ କାର୍ଯ୍ୟକାଳ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରିଛି।

ପ୍ରଧାନ ବିଚାରପତି ବି.ଆର୍. ଗଭାଇ ଏବଂ ଜଷ୍ଟିସ୍ କେ. ଭିନୋଦ ଚନ୍ଦ୍ରନ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ (ମାଡ୍ରାସ୍ ବାର୍ ଆସୋସିଏସନ୍ ସମେତ)ଙ୍କ ପକ୍ଷରୁ ଚୂଡ଼ାନ୍ତ ଯୁକ୍ତି ଶୁଣିସାରିବା ପରେ ଏବେ କେନ୍ଦ୍ରର ଏହି ଆବେଦନକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ।

ସିଜେଆଇ ଗଭାଇ, ଯିଏ ନଭେମ୍ବର ୨୩ରେ ଅବସର ନେଉଛନ୍ତି, ସ୍ପଷ୍ଟ ଭାବରେ କ୍ଷୁବ୍ଧ ହୋଇ କହିଥିଲେ, “ଆପଣ (ଆଟର୍ଣ୍ଣି ଜେନେରାଲ୍) ଗତ ଶୁଣାଣି ଦିନ ଏହି ଆପତ୍ତି ଉଠାଇ ନଥିଲେ। ମେରିଟ୍ ଆଧାରରେ ଗୋଟିଏ ପକ୍ଷର ଯୁକ୍ତି ଶୁଣିସାରିବା ପରେ ଏପରି ଆପତ୍ତି ଉଠାଇବା ଉଚିତ ନୁହେଁ। କେନ୍ଦ୍ର ଏପରି କୌଶଳର ଆଶ୍ରୟ ନେଉ ବୋଲି ଆମେ ଆଶା କରୁନାହୁଁ।”

ସିଜେଆଇ ପୁଣି କହିଥିଲେ, “ମନେହେଉଛି ଯେ କେନ୍ଦ୍ର ଏହି ବେଞ୍ଚକୁ ଏଡ଼ାଇବାକୁ ଚାହୁଁଛି।”

ଆଟର୍ଣ୍ଣି ଜେନେରାଲ୍ (AG) ଆର୍. ଭେଙ୍କଟରମଣି ବଡ଼ ଖଣ୍ଡପୀଠରେ ଶୁଣାଣି ପାଇଁ କେନ୍ଦ୍ରର ଆବେଦନକୁ ଭୁଲ୍ ନ ବୁଝିବାକୁ ଅନୁରୋଧ କରିଥିଲେ ଏବଂ ଏହି ପ୍ରାଥମିକ ଆପତ୍ତି ପୂର୍ବରୁ ଦାଖଲ ହୋଇଥିବା ଉତ୍ତରରେ ଉଲ୍ଲେଖ ଥିଲା ବୋଲି କହିଥିଲେ।

ଏହାର ଜବାବରେ ସିଜେଆଇ କହିଥିଲେ, “ଯଦି ଆମେ ଆପଣଙ୍କର ଏହି ଆବେଦନକୁ ଖାରଜ କରୁ, ତେବେ ଆମେ କହିବୁ ଯେ କେନ୍ଦ୍ର ଏହି ବେଞ୍ଚକୁ ଏଡ଼ାଇବାକୁ ଚେଷ୍ଟା କରୁଛି। ମେରିଟ୍ ଆଧାରରେ ଗୋଟିଏ ପକ୍ଷର ଯୁକ୍ତି ଶୁଣିସାରିବା ପରେ ଆମେ ଏସବୁ ଶୁଣିବୁ ନାହିଁ।”

ଏଜି ଶେଷରେ କୋର୍ଟଙ୍କୁ ବିନମ୍ରତାର ସହ ଅନୁରୋଧ କରିଥିଲେ ଯେ ସରକାର ବିଚାର ବିମର୍ଶ ପରେ ଏହି ଆଇନ ଆଣିଛନ୍ତି ଏବଂ ଏହାକୁ ସ୍ଥିର ହେବା ପାଇଁ କିଛି ସମୟ ଦିଆଯାଉ। ବର୍ତ୍ତମାନ ଏହି ଶୁଣାଣି ଶୁକ୍ରବାର ଦିନ ପୁଣି ଆରମ୍ଭ ହେବ।

Share