ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ସରକାର ତାମିଲନାଡୁର ମଦୁରାଇ ଏବଂ କୋଏମ୍ବାଟୁର ପାଇଁ ଆସିଥିବା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA) ‘ମେଟ୍ରୋ ରେଳ ନୀତି ୨୦୧୭’ ଅନୁଯାୟୀ ସହରର ଜନସଂଖ୍ୟା ମାନଦଣ୍ଡ ପୂରଣ ହେଉନଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଟ୍ରୋ ରେଳ ନୀତିରେ କେବଳ ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକ ପାଇଁ ମେଟ୍ରୋ ପ୍ରଣାଳୀକୁ ଅନୁମତି ଦିଆଯାଇଛି।
କୋଏମ୍ବାଟୁର ମ୍ୟୁନିସିପାଲ୍ କର୍ପୋରେସନ୍ ର ଜନସଂଖ୍ୟା ୧୫.୮୪ ଲକ୍ଷ ଥିବାବେଳେ ସମଗ୍ର ସ୍ଥାନୀୟ ଯୋଜନା କ୍ଷେତ୍ରର ଜନସଂଖ୍ୟା ୨୩.୫ ଲକ୍ଷ ଥିଲା। ମଦୁରାଇ ମ୍ୟୁନିସିପାଲ୍ କର୍ପୋରେସନ୍ ର ଜନସଂଖ୍ୟା ୧୦.୨୦ ଲକ୍ଷ ଏବଂ ସହରାଞ୍ଚଳର ମୋଟ ଜନସଂଖ୍ୟା ୧୪.୭ ଲକ୍ଷ ଥିଲା।
ତାମିଲନାଡୁ ସରକାରୀ ସୂତ୍ରଗୁଡ଼ିକ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ, କେନ୍ଦ୍ର ଏହି ୨୦ ଲକ୍ଷର ମାନଦଣ୍ଡ ତଳେ ଥିବା ଅନ୍ୟ ଟାୟର୍ II ସହରରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଛି।
ଉଦାହରଣସ୍ୱରୂପ, ଆଗ୍ରା (୧୬ ଲକ୍ଷ), ପାଟନା (୧୭ ଲକ୍ଷ) ଏବଂ ଭୋପାଳ (୧୮.୮ ଲକ୍ଷ) ସହରରେ ମଧ୍ୟ ମେଟ୍ରୋ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି।
ଅନ୍ୟ ରାଜ୍ୟର ରାଜଧାନୀ ନ ଥିବା ଟାୟର୍ II ସହର ଯଥା ଉତ୍ତରପ୍ରଦେଶର କାନପୁର, ମହାରାଷ୍ଟ୍ରର ନାଗପୁର ଓ ପୁଣେ, ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜୁରାଟର ସୁରଟ ପାଇଁ ମଧ୍ୟ ମେଟ୍ରୋ ପ୍ରକଳ୍ପ ଅନୁମୋଦିତ ହୋଇଛି।
ତାମିଲନାଡୁ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ସମାନ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ରାଜ୍ୟର ସହରଗୁଡ଼ିକ ପାଇଁ ଯେଉଁ ନୀତି ପ୍ରୟୋଗ କରାଗଲା, ତାମିଲନାଡୁର ଅଣ-ରାଜଧାନୀ ସହରଗୁଡ଼ିକ ପାଇଁ ସେହି ସମାନ ବିଚାର କରାଯାଇ ନାହିଁ।