ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ସରକାର “ସୋସିଆଲ ସିକ୍ୟୁରିଟି (ସେଣ୍ଟ୍ରାଲ) ରୁଲ୍ସ, ୨୦୨୫” ର ଚିଠା ନିୟମ ଜାରି କରିଛନ୍ତି। ଏହାଦ୍ୱାରା ଅନଲାଇନ୍ ଡେଲିଭରି ଏଜେଣ୍ଟ ଏବଂ ରାଇଡ୍-ହେଲିଂ ସେବା ପ୍ରଦାନକାରୀଙ୍କ ଭଳି ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ମିଳିପାରିବ।
ଡ୍ରାଫ୍ଟ ନିୟମର ୧୦ଟି ପ୍ରମୁଖ ପଏଣ୍ଟ ରହିଛି:
ଯୋଗ୍ୟତା: ଯଦି ଜଣେ କର୍ମଚାରୀ ଗୋଟିଏ କମ୍ପାନୀ ସହ ଅତିକମରେ ୯୦ ଦିନ କାମ କରିଛନ୍ତି, ତେବେ ସେ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଭଳି ସୁବିଧା ପାଇବାକୁ ଯୋଗ୍ୟ ହେବେ।
ଏକାଧିକ ସଂସ୍ଥାରେ କାର୍ଯ୍ୟ: ଯେଉଁମାନେ ଏକାଧିକ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ପାଇଁ ବର୍ଷକୁ ଅତିକମରେ ୧୨୦ ଦିନ କାର୍ଯ୍ୟ କରିବା ବାଧ୍ୟତାମୂଳକ।
କାର୍ଯ୍ୟ ଦିବସର ଗଣନା: ଯେଉଁ ଦିନରୁ କର୍ମଚାରୀ ରୋଜଗାର ଆରମ୍ଭ କରିବେ, ସେହି ଦିନକୁ କାର୍ଯ୍ୟ ଦିବସ ଭାବେ ଗଣାଯିବ। ଆୟର ପରିମାଣ ଯାହା ହେଉ ନା କାହିଁକି, ଏହା ଯୋଗ୍ୟତା ପାଇଁ ଗ୍ରହଣୀୟ ହେବ।
ଦିନକୁ ଏକାଧିକ ଗଣନା: ଯଦି ଜଣେ ଶ୍ରମିକ ଗୋଟିଏ ଦିନରେ ୩ଟି ଭିନ୍ନ ସଂସ୍ଥା ପାଇଁ କାମ କରନ୍ତି, ତେବେ ତାହାକୁ ୩ଟି କାର୍ଯ୍ୟ ଦିବସ ଭାବେ ଗଣନା କରାଯିବ।
ପଞ୍ଜିକରଣ: ୧୬ ବର୍ଷରୁ ଅଧିକ ବୟସ୍କ ସମସ୍ତ ଗିଗ୍ ୱର୍କର୍ସଙ୍କୁ ଆଧାର କାର୍ଡ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡ଼ିବ।
ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN): ସମ୍ପୃକ୍ତ କମ୍ପାନୀଗୁଡ଼ିକ କର୍ମଚାରୀଙ୍କ ସୂଚନା ସରକାରୀ ପୋର୍ଟାଲରେ ଦେବେ, ଯାହାଦ୍ୱାରା ସେମାନଙ୍କୁ ଏକ Unique ID କିମ୍ବା UAN ପ୍ରଦାନ କରାଯିବ।
ପରିଚୟ ପତ୍ର: ସମସ୍ତ ପଞ୍ଜିକୃତ କର୍ମଚାରୀଙ୍କୁ ଫଟୋ ଥିବା ଡିଜିଟାଲ୍ କିମ୍ବା ଫିଜିକାଲ୍ ପରିଚୟ ପତ୍ର ମିଳିବ, ଯାହାକୁ ପୋର୍ଟାଲରୁ ଡାଉନଲୋଡ୍ କରାଯାଇପାରିବ।
ସାମାଜିକ ସୁରକ୍ଷା ପାଣ୍ଠି: କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବେ। ଏହି ପାଣ୍ଠିରେ କମ୍ପାନୀଗୁଡ଼ିକରୁ ଆଦାୟ ହେଉଥିବା ଅର୍ଥ ଗିଗ୍ ୱର୍କର୍ସଙ୍କ କଲ୍ୟାଣ ପାଇଁ ବ୍ୟୟ ହେବ।
ସୁବିଧା ଶେଷ ହେବା: କର୍ମଚାରୀଙ୍କ ବୟସ ୬୦ ବର୍ଷ ହେଲେ କିମ୍ବା ସେ ନିର୍ଦ୍ଧାରିତ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ନକଲେ ଏହି ସୁବିଧା ବନ୍ଦ ହୋଇଯିବ।
ପ୍ରତିନିଧିତ୍ୱ: ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ବୋର୍ଡରେ ଗିଗ୍ ୱର୍କର୍ସଙ୍କ ପକ୍ଷରୁ ୫ ଜଣ ସଦସ୍ୟ ପ୍ରତିନିଧିତ୍ୱ କରିବେ, ଯେଉଁମାନଙ୍କୁ ସରକାର ମନୋନୀତ କରିବେ।