ଆଣ୍ଡ୍ରଏଡ୍ ସ୍କାମ୍ ଉପରେ କେନ୍ଦ୍ର ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ସାଇବର ଠକେଇ ସତର୍କତା ଜାରି

ନୂଆଦିଲ୍ଲୀ,୩୦।୧: ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ‘ୱିଙ୍ଗୋ’ ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ଜରିଆରେ ଚାଲିଥିବା ବ୍ୟାପକ ଠକେଇକୁ ରୋକିବା ପାଇଁ ଏହାର ସମସ୍ତ ଡିଜିଟାଲ୍ ଭିତ୍ତିଭୂମିକୁ ବନ୍ଦ କରିବା ସହ ଟେଲିଗ୍ରାମ୍ ଚ୍ୟାନେଲକୁ ମଧ୍ୟ ବ୍ଲକ୍ କରାଯାଇଛି।

କମ୍ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ୱିଙ୍ଗୋ ଆପ୍ ଲୋକଙ୍କୁ ଆକୃଷ୍ଟ କରୁଥିଲା। ଆପ୍‌ଟି ବ୍ୟବହାରକାରୀଙ୍କ ଅଜାଣତରେ ସେମାନଙ୍କ ଫୋନ୍‌ରୁ ଏସଏମଏସ (SMS) ପଠାଉଥିଲା ଏବଂ କଣ୍ଟାକ୍ଟ, ଗ୍ୟାଲେରୀ ଓ ଲୋକେସନ ଭଳି ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିଲା। ଛୋଟ ଛୋଟ ଟାସ୍କ ବା ପୁଞ୍ଜି ନିବେଶ ନାମରେ ୟୁପିଆଇ (UPI) ମାଧ୍ୟମରେ ଟଙ୍କା ଡିପୋଜିଟ୍ କରାଇବା ପରେ ଆକାଉଣ୍ଟକୁ ବ୍ଲକ୍ କରିଦିଆଯାଉଥିଲା।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ‘ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର’ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୱିଙ୍ଗୋ ସହ ଜଡ଼ିତ ୪ଟି ଟେଲିଗ୍ରାମ୍ ଚ୍ୟାନେଲ (୧.୫୩ ଲକ୍ଷ ସଦସ୍ୟ)କୁ ବ୍ଲକ୍ କରାଯାଇଥିବା ବେଳେ ୟୁଟ୍ୟୁବ୍‌ରୁ ୫୩ଟି ଭିଡିଓ ହଟାଇ ଦିଆଯାଇଛି। ଆପ୍‌ର ‘କମାଣ୍ଡ ଏଣ୍ଡ କଣ୍ଟ୍ରୋଲ’ ସର୍ଭରଗୁଡ଼ିକୁ ଜିଓ-ବ୍ଲକିଂ କରାଯାଇ ଅଚଳ କରାଯାଇଛି।

ସରକାରଙ୍କ ପକ୍ଷରୁ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ନିମ୍ନଲିଖିତ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଗ୍ୟାରେଣ୍ଟି ସହ ଦୈନିକ ଲାଭ ଦେଉଥିବା କୌଣସି ବିଜ୍ଞାପନ ବା ଆପ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଆପ୍ ଡାଉନଲୋଡ୍ କରିବା ପରେ ଏସଏମଏସ, ଗ୍ୟାଲେରୀ କିମ୍ବା କଣ୍ଟାକ୍ଟ ଲିଷ୍ଟ୍‌ର ଆକ୍ସେସ ଦିଅନ୍ତୁ ନାହିଁ। ଯଦି ଫୋନ୍‌ରେ ଏଭଳି କୌଣସି ଆପ୍ ଅଛି, ତେବେ ତୁରନ୍ତ ତାହାକୁ ଅନ-ଇନଷ୍ଟଲ କରନ୍ତୁ।

ଯଦି ଆପଣ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ କୁ କଲ୍ କରନ୍ତୁ କିମ୍ବା ସାଇବର ପୋର୍ଟାଲରେ ଅଭିଯୋଗ କରନ୍ତୁ।