୭,୨୦୦ କୋଟିର ବିରଳ ମୃତ୍ତିକା ଯୋଜନାକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୧୧: ବିରଳ ମୃତ୍ତିକା ସ୍ଥାୟୀ ଚୁମ୍ବକ (ଆର୍‌ଇପିଏମ୍‌) ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୭,୨୦୦ କୋଟି ଟଙ୍କାର ଏକ ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ସିଣ୍ଟର୍‌ଡ ରେଆର୍‌ ଆର୍ଥ ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌ ଉତ୍ପାଦନ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ବାର୍ଷିକ ୬,୦୦୦ ମେଟ୍ରିକ୍‌ ଟନ୍‌ ସାମର୍ଥ୍ୟ ସୃଷ୍ଟିକରିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି। ବିଦ୍ୟୁତ୍‌ଚାଳିତ ଯାନ, ଏରୋସ୍ପେସ୍‌, ଇଲେକ୍ଟ୍ରୋନିକ୍ସ, ଡାକ୍ତରୀ ଉପକରଣ ଏବଂ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନକାରୀ ବୃହତ୍‌ ଶିଳ୍ପସଂସ୍ଥାରେ ବିରଳ ମୃତ୍ତିକା ଚୁମ୍ବକ ଆବଶ୍ୟକ ହୋଇଥାଏ।
ଭାରତ ଆର୍‌ଇପିଏମ୍‌ ପାଇଁ ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଛି। ଏହି ଯୋଜନା ଦ୍ୱାରା ଭାରତ ପ୍ରଥମ ସମନ୍ବିତ ଆର୍‌ଇପିଏମ୍‌ ଉତ୍ପାଦନ କାରଖାନା ବସାଇବା ସହ ନିଯୁକ୍ତି ସୃଷ୍ଟି କରିବ। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି ପାଇଁ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ଏଥିସହିତ କେନ୍ଦ୍ର କ୍ୟାବିନେଟ୍‌ ୨,୭୮୧ କୋଟି ଟଙ୍କା ବ୍ୟୟରେ ଗୁଜରାଟରେ ଦ୍ୱାରକ-କନଲୁସ୍‌ ରେଳଲାଇନ୍‌ର ଦୋହରୀକରଣ ଏବଂ ମୁମ୍ବାଇ ମେଟ୍ରୋପଲିଟାନ ଅଞ୍ଚଳର ବଦଲାପୁର ଏବଂ କରଜାତ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି।

Dharitri – The Largest & Most Trusted Odia Daily