ଆର୍‌ଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ

ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ):  ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ଭଞ୍ଜନଗର ଶାଖା ପକ୍ଷରୁ ରବିବାର
ଏବଂ କୁଲାଡ ଶାଖା ପକ୍ଷରୁ ସୋମବାର ଆରଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉତ୍ସବ ପାଳନ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମରେ ସଂଘରେ ଯୋଗ ଦେଇଥିବା ଶତାଧିକ ସଭ୍ୟ ସହର ପରିକ୍ରମା କରିଥିଲେ। ଏହି ସମୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଭାଜପା ଏବଂ ଆରଏସ୍‌ଏସ୍‌ର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ରବିବାର ଆରଏସ୍‌ଏସ୍‌ର ଶତାବ୍ଦୀ ବର୍ଷ ଉପଲକ୍ଷେ ଭଞ୍ଜନଗର ଜେଲ ପଡ଼ିଆଠାରେ ଏକ ସଭା ହୋଇଥିଲା। ସଭା ପୂର୍ବରୁ ସଂଘ କର୍ମକର୍ତ୍ତାମାନେ ଢିହପଢାଳ ସରସ୍ବତୀ ଶିଶୁ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଛକ,ଭେଜିପୁଟ, ଶିବ ମନ୍ଦିର, ଚକରା ବିଷୋୟୀ ବାଇପାସ ଛକ ଦେଇ ଜେଲ ପଡ଼ିଆଠାରେ ପହଞ୍ଚତ୍ଥିଲେ। ପରେ ସେଠାରେ ଶାରୀରିକ ଶକ୍ତି ପ୍ରଦର୍ଶନ ସହ ବୌଦ୍ଧିକ କାର୍ଯ୍ୟକ୍ରମ ହୋଇଥିଲା। ଘୁମୁସର ସଂଘ ଚାଳକ ବନମାଳୀ ଗୌଡ଼, ଓଡ଼ିଶା ପୂର୍ବ ପ୍ରାନ୍ତ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ, ଭଞ୍ଜନଗର ଖଣ୍ଡ କାର୍ଯ୍ୟବାହ ପ୍ରଦୀପ ଆଚାର୍ଯ୍ୟଙ୍କ ସହ ଆରଏସ୍‌ଏସ୍‌ର ବହୁ କର୍ମକର୍ତ୍ତା ଏବଂ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ବ ପ୍ରାନ୍ତ ଓଡ଼ିଶାର ମୁରଲୀଧର ପଣ୍ଡା, ଭଞ୍ଜନଗର ବିଶ୍ବହିନ୍ଦୁ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ସୋମବାର କୁଲାଡରେ ହୋଇଥିବା କାର୍ଯ୍ୟକ୍ରମରେ ଶତାଧିକ ସଭ୍ୟ ଯୋଗଦେଇ ନଗର ପରିକ୍ରମା କରିଥିଲେ।