ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା। ଭାରତର ମହାପଞ୍ଜିକାର ତଥା ଜନଗଣନା ଆୟୁକ୍ତ ମୃତ୍ୟୁଞ୍ଜୟ କୁମାର ନାରାୟଣଙ୍କ ସୂଚନା ଅନୁଯାୟୀ, ଜନଗଣନା ୨ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ସ୍ବୟଂଗଣନା କରାଯିବ। ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ ବିଭିନ୍ନ ରାଜ୍ୟରେ ୧୫ ଦିନ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ବୟଂଗଣନା ସହ ଗୃହ ତାଲିକାକରଣ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ ସେଲ୍ଫ-ଏନୁମେରେଶନ ପୋର୍ଟାଲ ୧୬ଟି ଭାଷାରେ ଉପଲବ୍ଧ ହେବ। ଜନଗଣନା କାର୍ଯ୍ୟରେ ୩ ନିୟୁତରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜନ ହେବେ।