LoCରେ ଅସ୍ତ୍ରବିରତି ଉଲ୍ଲଘଂନ, ଏପଟେ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣଇଲେ ଶେହବାଜ

ଇସଲାମବାଦ,୧୦।୫: ଭାରତକୁ ଅସ୍ତ୍ରବିରତି ପାଇଁ ନିବେଦନ କରିବା ପରେ, ପ୍ରାୟ ତିନି ଘଣ୍ଟା ପରେ ପାକିସ୍ତାନ ନିଜେ ଏହାକୁ ଉଲଘଂନ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଉଥିବାର ଦେଖାଯାଇଛି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶେହବାଜ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାତି ପ୍ରାୟ ୮ଟାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିଛି। କିନ୍ତୁ ଏହାପରେ ସେ ଅସ୍ତ୍ରବିରତିରେ ମଧ୍ୟସ୍ଥତା କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶେହବାଜ କହିଛନ୍ତି, ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ନେତୃତ୍ୱ ଏବଂ ଏହି ଅଞ୍ଚଳରେ ଶାନ୍ତି ପାଇଁ ସକ୍ରିୟ ଭୂମିକା ପାଇଁ ଧନ୍ୟବାଦ ଜଣାଉଛୁ। ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଆମେ ଗ୍ରହଣ କରିଥିବା ଏହି ଫଳାଫଳକୁ ସହଜ କରିବା ପାଇଁ ପାକିସ୍ତାନ ଆମେରିକାକୁ ପ୍ରଶଂସା କରେ। ଦକ୍ଷିଣ ଏସିଆରେ ଶାନ୍ତି ପ୍ରତି ମୂଲ୍ୟବାନ ଅବଦାନ ପାଇଁ ଆମେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ରାଜ୍ୟ ସଚିବ ମାର୍କୋ ରୁବିଓଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ। ପାକିସ୍ତାନ ବିଶ୍ୱାସ କରେ ଯେ ଏହା ଏହି କ୍ଷେତ୍ରକୁ ଅସୁବିଧାରେ ପକାଇଥିବା ଏବଂ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ଦିଗରେ ଏହାର ପଥକୁ ବାଧା ଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ନୂତନ ଆରମ୍ଭ।