ବିବାଦରେ ସିବିଏସ୍‌ଇ: ବିଷୟ ତାଲିକାରେ ନାହିଁ ଓଡ଼ିଆ, ସଫେଇ ଦେଲା ବୋର୍ଡ

ନୂଆଦିଲ୍ଲୀ,୨୬ା୨: ଆସନ୍ତା ଶିକ୍ଷାବର୍ଷରୁ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ୨ ଥର ହେବ। ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବାବେଳେ ମେ’ ମାସ ୫ରୁ ୨୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ପିଲା ପରୀକ୍ଷା ଦେବେ।

ନୂଆ ନୀତି ଅନୁସାରେ ପରୀକ୍ଷାର୍ଥୀଙ୍କୁ ଉଭୟ ପର୍ଯ୍ୟାୟ ପରୀକ୍ଷା ଦେବାକୁ ମଧ୍ୟ ସୁଯୋଗ ମିଳିବ। କେବଳ ଏତିକି ନୁହେଁ, ଯେଉଁ ଛାତ୍ରୀ କିମ୍ବା ଛାତ୍ର ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ବିଷୟରେ ଆଣିଥିବା ମାର୍କକୁ ନେଇ ସନ୍ତୁଷ୍ଟ ଥିବେ ସେ ଚାହିଁଲେ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ସବ୍‌ଜେକ୍ଟକୁ ବାଦ୍‌ ଦେଇ ଅନ୍ୟ ବିଷୟଗୁଡ଼ିକ ଉପରେ ପରୀକ୍ଷା ଦେଇପାରିବେ।

ତେବେ ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତ ଅନୁସାରେ ବିଷୟ ତାଲିକାରେ ରାଇ, ଉରୁଙ୍ଗ୍‌, ତମାଙ୍ଗ୍‌, ଶେର୍ପା, ସଂସ୍କୃତ, ଉର୍ଦ୍ଦୁ, ମରାଠୀ, ଗୁଜରାଟୀ, ମଣିପୁରୀ, ତିବ୍ବତୀୟ, ଭୁତି, ତେଲୁଗୁମ୍‌ ବୋଡୋ, ତଙ୍ଗ୍‌ଖୁଲ, ଭୁତିଆ, କଶ୍ମୀରୀ, ମିଜୋ ଓ ଥାଇ ଭାଷାକୁ ସ୍ଥାନିତ କରାଯାଇଛି। କିନ୍ତୁ ଓଡ଼ିଆ, ପଞ୍ଜାବୀ ସମେତ ଆଉ କେତେକ ଭାଷାକୁ ତାଲିକାର ଅଷ୍ଟମ ସ୍ତମ୍ଭରେ ରଖାଯାଇ ନାହିଁ।

ଏନେଇ ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ସାନ୍ୟମ ଭରଦ୍ୱାଜ କହିଛନ୍ତି, ବିଷୟ ତାଲିକାରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ। ବର୍ତ୍ତମାନ ଯେଉଁ ସବୁ ଭାଷା ରହିଛି, ଆଗକୁ ମଧ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଉଭୟ ପର୍ଯ୍ୟାୟରେ ସେଗୁଡ଼ିକ ବଳବତ୍ତର ରହିବ। ଡ୍ରାଫ୍ଟ ପସିଲିସର ତାଲିକା କେବଳ ସାଙ୍କେତିକ।

Share
Tags: CBSE