ବୋଫର୍ସ ତଥ୍ୟ ପାଇଁ ଆମେରିକାକୁ ନ୍ୟାୟିକ ଅନୁରୋଧ ପଠାଇବ ସିବିଆଇ

ନୂଆଦିଲ୍ଲୀ,୨ା୧୨(ପି.ଟି.): ଅଶୀ ଦଶକରେ ସ୍ବିଡେନ୍‌ରୁ ବୋଫର୍ସ ତୋପ କ୍ରୟ ଚୁକ୍ତିନାମା ନିମନ୍ତେ ୬୪ କୋଟି ଟଙ୍କା ଲାଞ୍ଚ କାରବାର ହୋଇଥିଲା। ଏହି ଦୁର୍ନୀତି ସମ୍ପର୍କରେ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରିବାକୁ ଆଗ୍ରହୀ ଥିବା ଘରୋଇ ତଦନ୍ତକାରୀ ମିଚେଲ ହେର୍ଶମାନ୍‌ଙ୍କଠାରୁ ସୂଚନା ପାଇବା ନିମନ୍ତେ ସିବିଆଇ ଖୁବ୍‌ଶୀଘ୍ର ଆମେରିକାକୁ ନ୍ୟାୟିକ ଅନୁରୋଧ ପଠାଇବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏନେଇ ସିବିଆଇ ସ୍ବତନ୍ତ୍ର ଅଦାଲତଙ୍କୁ ଜଣାଇଛି। ଅକ୍ଟୋବରରେ ଲେଟର୍ସ ରୋଗେଟୋରି (ଏଲ୍‌ଆର୍‌) ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିପାଇଁ ଆଉ ୯୦ ଦିନ ଲାଗିବା ଆଶା କରାଯାଉଛି। ଏଲ୍‌ଆର୍‌ ହେଉଛି ତଦନ୍ତରେ ସହାୟତା ପାଇବା ପାଇଁ କୌଣସି ଦେଶକୁ ଅଦାଲତ ଦ୍ୱାରା ପଠାଯାଉଥିବା ଲିଖିତ ନିବେଦନ। ବୋଫର୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୦୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦୋଷମୁକ୍ତ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ଖାରଜ କରିଦେଇଥିଲା।