ମାମଲାର ତଦନ୍ତ କରିପାରୁନି ସିବିଆଇ

ନୂଆଦିଲ୍ଲୀ,୩୦ା୩: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ରେ ପଡ଼ିରହିଥିବା ୧,୦୦୦ରୁ ଊର୍ଦ୍ଧ୍ୱ ମାମଲାକୁ ନେଇ ରାଜ୍ୟ ସଭାର ଉଚ୍ଚକ୍ଷମତାସମ୍ପନ୍ନ ସ୍ଥାୟୀ କମିଟି ଉଦ୍‌ବେଗ ପ୍ରକାଶ କରିଛି। ସିବିଆଇରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ କରାଗଲେ ମାମଲା ସଂଖ୍ୟା ହ୍ରାସ କରାଯାଇପାରିବ ବୋଲି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ଏମ୍‌ପି ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କାର୍ମିକ, ସାଧାରଣ ଅଭିଯୋଗ, ଆଇନ ଓ ନ୍ୟାୟ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି କହିଛି।
ସିବିଆଇରେ ଖାଲିଥିବା ପଦବୀଗୁଡ଼ିକୁ ପୂରଣ କରିବା ସକାଶେ ତଦନ୍ତକାରୀ ସଂସ୍ଥାରେ ଯଥାଶୀଘ୍ର ସମ୍ଭବ କ୍ୟାଡର ପୁନର୍ଗଠନ କରିବାକୁ କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଏଥିରେ ଆହୁରି କୁହାଯାଇଛି ଯେ, ବିଳମ୍ବିତ ନ୍ୟାୟ ଆଦୌ ନ୍ୟାୟ ନ ମିଳିବା ସହ ସମାନ। ଦଶନ୍ଧି ଦଶନ୍ଧି ଧରି ମାମଲାଗୁଡ଼ିକୁ ଗଡ଼ାଯାଇପାରିବ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ତଦନ୍ତ ପାଇଁ ଶତାଧିକ ହାଇପ୍ରୋଫାଇଲ ବ୍ୟାଙ୍କ ଠକେଇ ମାମଲା ରାଜ୍ୟ ସରକାରମାନଙ୍କ ସାଧାରଣ ସମ୍ମତିକୁ ଅପେକ୍ଷା କରିଥିବା ନିକଟରେ ସିବିଆଇ ସ୍ବୀକାର କରିଥିଲା। ଏହି ମାମଲାଗୁଡ଼ିକର ତଦନ୍ତ ଲାଗି ୯ ରାଜ୍ୟ ସହମତି ପ୍ରକାଶ କରି ନ ଥିବା ଜଣାପଡ଼ିଛି। ଷ୍ଟାଣ୍ଡିଂ କମିଟିର ସଦ୍ୟ ରିପୋର୍ଟ ଅନୁସାରେ ଗତ କିଛି ମାସ ହେଲା ଅଭିଯୁକ୍ତଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ଅଭାବରୁ ୭୨ ଭିଜିଲାନ୍ସ ମାମଲା ଗଡ଼ୁଛି। ସିବିଆଇ ପାଇଁ ୭,୨୭୩ ପଦବୀ ମଞ୍ଜୁର ହୋଇଥିବାବେଳେ ସେଥିରୁ ୫,୭୪୦ ପଦବୀ ପୂରଣ ହୋଇଛି। ଏଥିଯୋଗୁ ୧,୦୨୫ ମାମଲାର ତଦନ୍ତ ଆଗକୁ ବଢ଼ିପାରୁ ନାହିଁ। ସେଥିରୁ ୬୬ଟି ମାମଲା ୫ ବର୍ଷ ହେଲା ଗଡ଼ୁଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍‌ ସିବିଆଇ ତଦନ୍ତାଧୀନ କେତୋଟି ମାମଲା ଉପରେ ଦେଶର ଅଦାଲତଗୁଡ଼ିକ ସ୍ଥଗିତାଦେଶ ଜାରି କରିଛନ୍ତି ତାହା ମଧ୍ୟ ଷ୍ଟାଣ୍ଡିଂ କମିଟି ଜାଣିବାକୁ ଚାହିଁଛି।