ୟୁନିଟେକ୍‌ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ୩୯୫ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ୟୁନିଟେକ୍‌ ଲିମିଟେଡ୍‌ ଏବଂ ଏହାର ପୂର୍ବତନ ନିର୍ଦ୍ଦେଶକମାନଙ୍କ ନାଁରେ ସିବିଆଇ ଶୁକ୍ରବାର ନୂଆ ମାମଲା ରୁଜୁ କରିଛି। ଦୁର୍ନୀତି ଅଭିଯୋଗର ୬ ମାସ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ କମ୍ପାନୀ ସମେତ ଏହାର ପୂର୍ବତନ ପ୍ରମୋଟର ଓ ନିର୍ଦ୍ଦେଶକ ରମେଶ ଚନ୍ଦ୍ରା, ଅଜୟ ଚନ୍ଦ୍ରା, ସଞ୍ଜୟ ଚନ୍ଦ୍ରାଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଠକେଇ ନେଇ ଆଇପିସିର ବିଭିନ୍ନ ଦଫା ଏବଂ ଦୁର୍ନୀତି ନିବାରଣ ଆଇନରେ ମାମଲା ରୁଜୁ କରିଥିବା ଜଣେ ଅଧିକାରୀ କହିଛନ୍ତି। ପୂର୍ବରୁ କାନାରା ବ୍ୟାଙ୍କ ଦୁର୍ନୀତି ଅଭିଯୋଗରେ ୟୁନିଟେକ୍‌ ପ୍ରତିଷ୍ଠାତା ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିଲେ। ୟୁନିଟେକ୍‌ କମ୍ପାନୀ ଭେଣ୍ଡର ବିଲ୍‌ ଡିସ୍‌କାଉଣ୍ଟିଂ (ପିବିଡି)ରେ ୨୦୧୨ରେ ଆଇଡିବିଆଇ ବ୍ୟାଙ୍କର ୪୦୦ କୋଟି ଟଙ୍କା ଋଣ ନେଇଥିଲା। ରିଅଲ ଇଷ୍ଟେଟ୍‌ ସେକ୍ଟରରେ ମାନ୍ଦାବସ୍ଥା ଯୋଗୁ ଭିବିଡି ପୈଠ କରିବାରେ ବିଳମ୍ବ ହୋଇଥିଲା। କମ୍ପାନୀ ଋଣ ଶୁଝିବାକୁ ରାଜି ହୋଇ ପୁଣି ୩୯୫ କୋଟି ଟଙ୍କା ଋଣ ନେଇଥିଲା। ୨୦୨୨ ଜୁନ୍‌ ୩୦ ସୁଦ୍ଧା ୟୁନିଟେକ୍‌ ଉପରେ ଆଇଡିବିଆଇ ବ୍ୟାଙ୍କ୍‌ର ୯୭୪.୭୮ କୋଟି ଟଙ୍କା ବକେୟା ରହିଥିଲା।

Share