ପାଟଣା,୧୬ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୬ ଗୋରୁଙ୍କୁ ପାଟଣା ପୋଲିସ ଉଦ୍ଧାର କରିଛି।
ସୂଚନାନୁଯାୟୀ, ଗୁରୁବାର ରାତିରେ ଓ ଆର ୦୫ ଏ ଏଚ ୮୧୨୪ ନମ୍ବର ବିଶିଷ୍ଟ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା କଡ଼ ଡ୍ରେନ୍ ଭିତରକୁ ପଶି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଗୋରୁ ଥିବା ଦେଖିବାକୁ ପାଇବା ପରେ ଗୋରୁଙ୍କୁ ଉଦ୍ଧାର କରିଛି। ଗାଡ଼ିଟି ଦୁର୍ଘଟଣା ହେବା ପରେ ଗୋରୁ ଚାଲାଣ ଘଟଣା ସାମ୍ନାକୁ ଆସିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ସହ ଗୋଚାଲାଣକାରୀ ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଗୋରୁଙ୍କୁ ଉଦ୍ଧାର କରି ପାଟଣା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।