ଭଞ୍ଜନଗର,୨୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର
ବସନ୍ତ ଗୌଡ (୩୮) ବୁଧବାର ସାରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଖବରପାଇ ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ ଭଞ୍ଜନଗର ମେଡ଼ିକାଲରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି।
ଅପରପକ୍ଷେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହି ସୂଚନା ପାଇବା ପରେ ମୃତକଙ୍କ ପରିବାରକୁ କିଭଳି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିପାରିବ ସେନେଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଏନେଇ ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ ମହାରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ଜଣେ ବ୍ୟକ୍ତି ବଜ୍ରପାତରେ ମୃତ୍ୟୁବରଣ କରିଥିବା ଖବର ଆସିଛି। ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଏବଂ ମେଡିକାଲ ରିପୋର୍ଟ ଆସିବା ପରେ ସଂପୃକ୍ତ ପରିବାରକୁ ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ହେବ।
ଘଟଣାରୁ ପ୍ରକାଶ ଯେ ବୁଧବାର ଅପରାହ୍ନ ସାଢ଼େ ୪ ଟା ରୁ ରାତି ୭ ଟା ପର୍ଯ୍ୟନ୍ତ ଭଞ୍ଜନଗର ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବସନ୍ତ ନିଜ ଗାଈ କୁଆହଁର ଧରି ଗାଈ ଚରାଇବାକୁ ଯାଇଥିଲେ। ବର୍ଷା ଯୋଗୁ ସେ ଗଛ ମୂଳେ ଆଶ୍ରୟ ନେଇଥିଲେ। ବଜ୍ରପାତ ମାରିବାରୁ ସେଠାରେ ସେ ଟଳି ପଡ଼ିଥିଲେ। ଏନେଇ ପରିବାର ଲୋକ ଜାଣିବା ପରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ମେଡ଼ିକାଲରେ ବସନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସେହିଭଳି ଅନ୍ୟ ଏକ ଘଟଣାକ୍ରମରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଅଲାଡ଼ି ଗ୍ରାମର ସନ୍ତ ବିଶ୍ୱାଳ (୪୭) ନାମକ ଜଣେ ମହିଳା ବୁଧବାର ବଜ୍ରପାତ ମାରିବାରୁ ମୃତ୍ୟୁବରଣ କରିଛନ୍ତି। ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ୍ ପଠାଇଦେଇଛି। ପ୍ରକାଶ ଯେ ସନ୍ତ ଏବଂ ଗ୍ରାମର ଆଉ କିଛି ମହିଳା ଆଜି ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ମାରିବାରୁ ସନ୍ତ ସେଠାରେ ହିଁ ଟଳି ପଡ଼ିଥିଲେ।