ଅର୍ନବ, ଅମିତଙ୍କ ନାଁରେ ମାମଲା

ବେଙ୍ଗାଲୁରୁ,୨୨।୫: ଭୁଲ୍‌ ସୂଚନା ପ୍ରସାରଣ ଅଭିଯୋଗରେ ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ୍‌ ମାଲବ୍ୟ ଏବଂ ରିପବ୍ଲିକ୍‌ ଟିଭିର ଏଡିଟର-ଇନ୍‌-ଚିଫ୍‌ ଅର୍ନବ ଗୋସ୍ବାମୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଭାରତୀୟ ଯୁବ କଂଗ୍ରେସ ଲିଗାଲ ସେଲ୍‌ ମୁଖ୍ୟ ଶ୍ରୀକାନ୍ତ ସ୍ବରୂପ ବି.ଏନ୍‌.ଙ୍କ ଅଭିଯୋଗକ୍ରମେ ବେଙ୍ଗାଲୁରୁର ହାଇଗ୍ରାଉଣ୍ଡ ଥାନାରେ ମାମଲା ରୁଜୁ ହୋଇଛି। ମାଲବ୍ୟ ଏବଂ ଗୋସ୍ବାମୀ ଆପରାଧିକ ଉଦ୍ଦେଶ୍ୟ ରଖି ତୁର୍କୀର ଇସ୍ତାନବୁଲ କଂଗ୍ରେସ ସେଣ୍ଟରକୁ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତର୍ଜାତୀୟ ଅଫିସ୍‌ ବୋଲି ମିଛ ପ୍ରଚାର କରିଥିଲେ। ଲୋକଙ୍କୁ ବିଭ୍ରାନ୍ତ କରିବା, ଏକ ବୃହତ୍‌ ଦଳକୁ ବଦନାମ କରିବା, ଜାତୀୟତାବାଦୀ ଭାବନାକୁ ଆଘାତ ଦେବା ଓ ଅଶାନ୍ତି ସୃଷ୍ଟି କରିବା ଲାଗି ଜାଣିଶୁଣି ଏଭଳି ମିଥ୍ୟା ସୂଚନା ଦିଆଯାଇଥିବା ସେ କହିଥିଲେ। ଭାରତ-ପାକିସ୍ତାନ ସଂଘର୍ଷ ବେଳେ ତୁର୍କୀ ଇସ୍‌ଲାମାବାଦକୁ ସାମରିକ ସହାୟତା ଯୋଗାଇଦେବାକୁ ନେଇ ଭାରତ ସହ ଏହାର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିବାବେଳେ ମାଲବ୍ୟ ଓ ଗୋସ୍ବାମୀ ଏଭଳି ଭୁଲ୍‌ ପ୍ରଚାର ଚଳାଇଥିବା ସ୍ବରୂପ ଅଭିଯୋଗ କରିଥିଲେ।