ଟାଇଟଲ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି MI, ଗୁଜରାଟ ଟିମ୍‌ରୁ ଏହି ଖେଳାଳିଙ୍କୁ ବଡ଼ ଡିଲ୍‌ରେ କଲା ଟ୍ରେଡ୍‌

ନୂଆଦିଲ୍ଲୀ,୧୩।୧୧: ଆଇପିଏଲ ୨୦୨୬ ପାଇଁ ରିଟେନ୍‌ସନ ଘୋଷଣା ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ନିଜ ଟିମ୍‌କୁ ମଜବୁତ କରିବା ଆରମ୍ଭ କରିଛି। ଗୁରୁବାର ଲକ୍ଷ୍ନୌ ସୁପର ଜାୟଣ୍ଟସ୍‌(ଏଲ୍‌ଏସ୍‌ଜି)ରୁ ଶାର୍ଦ୍ଦୁଳ ଠାକୁରଙ୍କୁ ୨ କୋଟିରେ ଟ୍ରେଡ କରିବା ପରେ, ମୁମ୍ବାଇ ଗୁଜରାଟ ଟାଇଟାନ୍ସ(ଜିଟି)ରୁ ଖେଳୁଥିବା କାରିବିୟାନ୍‌ ଅଲ-ରାଉଣ୍ଡର ଶେରଫେନ୍‌ ରଦରଫୋର୍ଡଙ୍କୁ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ମୁମ୍ବାଇଙ୍କୁ ୨.୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଗୁଜରାଟ ମଧ୍ୟ ସେତିକି ଟଙ୍କାରେ ରଦରଫୋର୍ଡଙ୍କୁ ନିଜ ଟିମ୍‌ରେ ସାମିଲ କରିଥିଲା। ତାଙ୍କର ଏହି ଫିସ ମୁମ୍ବାଇ ଇଣ୍ଡିୟାନ୍ସରେ ମଧ୍ୟ ବଜାୟ ରହିବ।
୨୭ ବର୍ଷୀୟ ରଦରଫୋର୍ଡ ୱେଷ୍ଟଇଣ୍ଡିଜ ପକ୍ଷରୁ ଏବେ ପର୍ଯ୍ୟନ୍ତ ୪୪ଟି ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଟି୨୦ଆଇରେ ୬ଷ୍ଠ ଉଇକେଟ ପାଇଁ ସର୍ବାଧିକ ଭାଗିଦାରି ତଥା ପାର୍ଟନରସିପ୍‌ର ରେକର୍ଡ ଧାରଣ କରିଛନ୍ତି। ସେ ଆଣ୍ଡ୍ରେ ରସେଲ ସହିତ ମିଶି ପର୍ଥରେ ଅଷ୍ଟ୍ରେଲିଆ ବିରୋଧରେ ୧୩୯ ରନ୍‌ର ପାର୍ଟନରସିପ କରିଥିଲେ। ୪୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରଦରଫୋର୍ଡ ୧୮.୩୭ର ଆଭରେଜ ଏବଂ ୧୩୭.୩୮ର ଷ୍ଟ୍ରାଇକ ରେଟ୍‌ରେ ୫୮୮ ରନ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର୍‌ ୬୮ ଅପରାଜିତ ରହିଛି।
ରଦରଫୋର୍ଡ ଆଇପିଏଲ୍‌ରେ ଏବେ ପର୍ଯ୍ୟନ୍ତ ୨୩ଟି ମ୍ୟାଚ ଖେଳିଛନ୍ତି। ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର୍‌ ପକ୍ଷରୁ ସେ ଖେଳିଥିଲେ। ୨୦୨୦ରେ ମୁମ୍ବାଇ ଇଣ୍ଡିୟାନ୍ସ ଏବଂ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ଦଳର ଅଂଶ ଥିଲେ, କିନ୍ତୁ ଏହି ଦୁଇ ସିଜନ୍‌ରେ ସେ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇ ନ ଥିଲେ। ଏବେ ପର୍ଯ୍ୟନ୍ତ ଖେଳିଥିବା ୨୩ଟି ମ୍ୟାଚ୍‌ରେ ରଦରଫୋର୍ଡ ୨୪.୮୧ର ଆଭରେଜ ଏବଂ ୧୩୭.୩୭ର ଷ୍ଟ୍ରାଇକ ରେଟ୍ରେ ୩୯୭ ରନ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ସର୍ବୋଚ୍ଚ ପ୍ରଦର୍ଶନ ୪୬ ରନ ରହିଛି। ଅପରପକ୍ଷେ ବୋଲିଂରେ ସେ ଆଇପିଏଲ୍‌ରେ ମାତ୍ର ଏକ ଉଇକେଟ ନେଇଛନ୍ତି, ଯାହା ୨୦୧୯ରେ ମିଳିଥିଲା।
ଆଇପିଏଲ୍‌ ପକ୍ଷରୁ ଅଫିସିଆଲ ବୟାନରେ କୁହାଯାଇଛି, ୱେଷ୍ଟଇଣ୍ଡିଜ୍‌ର ଅଲ-ରାଉଣ୍ଡର ଶେରଫେନ ରଦରଫୋର୍ଡ ଗୁଜରାଟ ଟାଇଟାନ୍ସରୁ ଟ୍ରେଡ ପରେ ଆଇପିଏଲ୍‌ ୨୦୨୬ ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ପ୍ରତିନିଧିତ୍ୱ କରିବେ। ଏହି ଟ୍ରେଡ୍‌ ପରେ ମୁମ୍ବାଇର ମଧ୍ୟମ ଅର୍ଡର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହୋଇଛି, ଯାହା ସେମାନଙ୍କୁ ୨୦୨୬ ସିଜନ୍‌ରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ କରିବ। ରଦରଫୋର୍ଡଙ୍କ ଅନୁଭବ ଏବଂ ଫିନିସର୍‌ ଭୂମିକା ମୁମ୍ବାଇଙ୍କ ପାଇଁ ବଡ଼ ସମ୍ପଦ ହେବ।
Dharitri – Odisha’s No.1 Odia Daily