ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ ଏକ କାର୍ ପଶିଯାଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ସୋମବାର ଭୋର୍ ଏକ କାର୍ ଶାଖା କେନାଲର ସୁରକ୍ଷା ବାଡ଼ ନ ଥିବାରୁ ଭାରସାମ୍ୟ ହରାଇ କେନାଲ ଭିତରେ ପଡ଼ିଥିଲା। ତେବେ ଏହାର ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କେନାଲ ଶୁଖିଲା ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି।
ସୂଚନା ମୁତାବକ ଉକ୍ତ ରାସ୍ତା ଦେଇ ପରଜଙ୍ଗ ଅଞ୍ଚଳକୁ ଏବଂ ପରଜଙ୍ଗ ଅଞ୍ଚଳରୁ ତାଳଚେର ଅଞ୍ଚଳକୁ ଦୈନିକ ସହ ସହ ଗାଡ଼ି ଯିବା ଆସିବା କରୁଥିଲେ ସୁଦ୍ଧା ପରଜଙ୍ଗ ଶାଖା କେନାଲର ଉଭୟ ପାର୍ଶ୍ୱରେ ସୁରକ୍ଷା ବାଡ଼ ନ ଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଖବର ପାଇ ପରଜଙ୍ଗ ପୋଲିସ ସେଠାରେ ପହଞ୍ଚି କାର୍କୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି। ତେବେ ତୁରନ୍ତ ସୁରକ୍ଷା ବାଡ଼ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।