କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା ଗୋଟିଏ ପରିବାରର ୩ଜଣ ମଧ୍ୟରୁ ୨ଜଣ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ବୁରୋମୁଣ୍ଡା ଗ୍ରାମର ପଞ୍ଚାନନ ପୁଟେଲ, ତାଙ୍କ ସ୍ତ୍ରୀ ଏବଂ ଛୋଟ ଛୁଆଙ୍କ ସହ ଏକ ବାହାଘର ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ। ହେଲେ କୁଶଙ୍ଗ ନର୍ଲାକଟା ନିକଟରେ ଏକ କାର ସହ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ବାଇାକ୍‌ରେ ଥିବା ୩ଜଣ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣାରେ ସ୍ବାମୀ, ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଛୋଟ ଛୁଆ ସୁରକ୍ଷିତ ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ଖବର ପାଇ ବଲାଙ୍ଗୀର ସଦର ପୋଲିସ ପହଞ୍ଚି କାରକୁ ଜବତ କରିଥିବା ବେଳେ ଚାଳକଙ୍କୁ ଖୋଜୁଛି।
ଗୁରୁତର ଆହତ ହୋଇଥିବା ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଏବଂ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି l

Share