ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଏକ କାର ନଂ(ଓଡ଼ିଠ୨ ବିଏମ ୭୧୦୫) ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ବିପରୀତ ପାର୍ଶ୍ୱରୁ ଏକ ହିରୋ ହୋଣ୍ଡା ଡିଲକ୍ସ ନଂ(ଓଡ଼ି୨୦ସି ୬୧୫୬) ଯୋଗେ ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ପଞ୍ଚାୟତ ଅଧିନ କିରାମା ଗ୍ରାମର ପ୍ରଭାବତୀ(ଭାଉଜ), ଚାଳକ ରୁଦ୍ର ମଳିକ(୧୯) ଦିଅର ଓ ଏକ ବର୍ଷର ଶିଶୁ ସହିତ ବାଇକରେ କୌଣସି କାମରେ ମୋହନା ଆସୁଥିବା ବେଳେ ହିଲ ଟପ୍‌ କଲେଜ ଛକ ନିକଟ ଲେଡ଼ବନ୍ଧ ଜାତୀୟ ରାଜପଥ ବୁଲାଣିରେ ଉଭୟ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ପ୍ରଭାବତୀ ଗୁରୁତର ହୋଇଥିବା ବେଳେ  ରୁଦ୍ର ଓ ଶିଶୁଟି ସାମାନ୍ୟ ଆହତ ହୋଇଥିଲେ। ସମସ୍ତଙ୍କୁ ୧୦୮ ଯୋଗେ  ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚ଼ିକିତ୍ସା କରାଯାଇଥିଲା। କିନ୍ତୁ ପ୍ରଭାବତୀ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଚ଼ିକିତ୍ସକ ଡ଼.ସମୀର କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଟି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ଥାନା ଏସ୍‌ଆଇ ବି.ନୀଳମାଧବ ରେଡ୍ଡୀ କହିଛନ୍ତି।

Share