ଲକ୍ଷ୍ନୌ,୭ା୩: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହରମନପ୍ରୀତ୍ କୌରଙ୍କୁ ଶୁକ୍ରବାର ତାଙ୍କ ମ୍ୟାଚ୍ ଫି’ର ୧୦ ପ୍ରତିଶତ ଜରିମାନା ହୋଇଛି। ଗୁରୁବାର ସ୍ଥାନୀୟ ଏକ୍ନା କ୍ରିକେଟ ଷ୍ଟାଡିୟମରେ ୟୁପି ଓ୍ବାରିଅର୍ଜ ବିପକ୍ଷ ଓମେନ୍ସ ପ୍ରମିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ମ୍ୟାଚରେ ସେ ଅମ୍ପାୟରଙ୍କ ନିଷ୍ପତ୍ତିର ଅସହମତି ପ୍ରକାଶ କରିଥିଲେ। ଏହାଦ୍ୱାରା ସେ ଆଚରଣ ସଂହିତାର ଉଲ୍ଲଂଘନ କରିଥିଲେ। ଉତ୍ତରପ୍ରଦେଶ ଓ୍ବାରିୟର୍ଜ ଇନିଂସର ୧୯ତମ ଓଭର ଶେଷରେ ଏହି ଘଟଣା ଘଟିଥିଲା। ଏକ ସ୍ଲୋ ଓଭର ରେଟ୍ ପାଇଁ ଫାଇନାଲ ଓଭରରେ ସର୍କଲ ବାହାରେ କେବଳ ୩ଜଣ ଫିଲ୍ଡରଙ୍କୁ ମୁତୟନ କରିବା ଲାଗି ହରମନପ୍ରୀତ୍ଙ୍କୁ ଅମ୍ପାୟର ଅଜିତେଶ ଅର୍ଗାଲ କହିଥିଲେ। ମାତ୍ର ଅମ୍ପାୟରଙ୍କ ଏହି ରୁଲିଂରେ ହରମନପ୍ରୀତ ଖୁସି ନ ଥିବା ଦେଖିବାକୁ ମିଳିଥିଲା।
ସେ ଏହି ବିଷୟ ନେଇ ଅମ୍ପାୟରଙ୍କ ସହିତ କିଛି ସମୟ ଯୁକ୍ତିତର୍କ କରିଥିଲେ। ସାଥୀ ଖେଳାଳି ଆମେଲିଆ କେର୍ ଆସି ତାଙ୍କ ସହିତ ଆଲୋଚନାରେ ଯୋଗ ଦେଇଥିଲେ। ହରମନପ୍ରୀତ୍ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଆଚରଣବିଧି ଅନୁଚ୍ଛେଦ-୧ର ଧାରା ୨.୮ର ଉଲ୍ଲଂଘନ କରିଥିବା ସ୍ବୀକାର କରିଥିଲେ। ଅନୁଚ୍ଛେଦ-୧ର ଉଲ୍ଲଂଘନ କଲେ ମ୍ୟାଚ ରେଫରିଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ। ମ୍ୟାଚ ବେଳେ ହରମନପ୍ରୀତ୍ଙ୍କ ଆହୁରି ମଧ୍ୟ ନନ୍ ଷ୍ଟ୍ରାଇକର ଏଣ୍ଡ୍ରେ ଛିଡ଼ା ହୋଇଥିବା ଉତ୍ତର ପ୍ରଦେଶ ଓ୍ବାରିଅର୍ଜର ସୋଫି ଏକ୍ଲେଷ୍ଟୋନ୍ଙ୍କ ସହିତ ଏକ ବଚସା ହୋଇଥିଲା। ଏହି ପ୍ରସଙ୍ଗରେ ଇଂଲିଶ କ୍ରିକେଟର ଅମ୍ପାୟରଙ୍କ ନିକଟକୁ ଯାଇ କିଛି କହୁଥିବା ଲକ୍ଷ୍ୟ କରାଯାଇଥିଲା।
ଜବାବରେ ହରମନପ୍ରୀତ ପ୍ରତିକ୍ରିୟାଶୀଳ ହୋଇ ଏକ୍ଲେଷ୍ଟୋନ୍ଙ୍କ ନିକଟକୁ ଯାଇ ତାଙ୍କୁ ବିରତ ରହିବା ଲାଗି କହୁଥିବା ଦେଖିବାକୁ ମିଳିଥିଲା। ଫଳତଃ ସ୍କ୍ବୋୟାର ଲେଗ୍ ଅମ୍ପାୟର ଏନ୍ ଜନନୀ ଓ ଉତ୍ତର ପ୍ରଦେଶ ଓ୍ବାରିଅର୍ଜ ଅଧିନାୟିକା ଦୀପ୍ତି ଶର୍ମା ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରି ପରିସ୍ଥିତିକୁ ଶାନ୍ତ କରାଇଥିଲେ। ମ୍ୟାଚରେ ଓ୍ବାରିଅର୍ଜ ୧୫୦/୯ ସ୍କୋର କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ୧୮.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।