ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଉଠାଇନେଲା ହରିୟାଣା ପୋଲିସ: କନ୍ଧମାଳ ପୋଲିସ ପାଇଁ ବଢିଲା ଚିନ୍ତା

ଦାରିଙ୍ଗବାଡି, ୨୫।୨ (ଅରୁଣ ସାହୁ): ମାତ୍ର ୧୦ କିଲୋ ଗଞ୍ଜେଇ ପାଇଁ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପହଞ୍ଚିଲା ହରିୟାଣା ପୋଲିସ। ଆଉ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଉଠାଇନେଲା ହରିୟାଣା ପୋଲିସ। ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ସୋନପୁର ପଞ୍ଚାୟତ ବେଲାଳସେନ ରୂପାମାଝୀ ବୋଲି ଦାରିଙ୍ଗବାଡି ପୋଲିସ ସୂତ୍ରରୁ ଜଣାପଡିଛି। ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
କନ୍ଧମାଳ ଜିଲାରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବାବେଳେ ପୋଲିସ ଗଞ୍ଜେଇ ଗଛ ନଷ୍ଟ କରିବା ଏବଂ ଗଞ୍ଜେଇ ଜବତ କରିବାରେ ଓସ୍ତାଦ ବୋଲି ବାଃ ବାଃ ନେଉଥିବାବେଳେ ଗଞ୍ଜେଇ ମାଫିଆଙ୍କୁ ପ୍ରାୟ ବାନ୍ଧିବାରେ ଅନେକ ସମୟରେ ବିଫଳ ହେଉଛି। ମାତ୍ର ୧୦ କିଲୋ ୪ ଶହ ଗ୍ରାମ ଗଞ୍ଜେଇ ପାଇଁ ଶହ ଶହ ମାଇଲ ଦୂରରୁ ପୋଲିସ ପହଞ୍ଚି ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଉଠାଇନେବା ନିଶ୍ଚୟ ଆଶ୍ଚର୍ଯ୍ୟର ବିଷୟ। ହରିୟାଣା ପୋଲିସର କାର୍ଯ୍ୟଶୈଳୀକୁ ଲୋକେ ପସନ୍ଦ କରିଛନ୍ତି।
ପ୍ରକାଶ ଯେ, ହରିୟାଣାରେ ଚୋରାରେ ଗଞ୍ଜେଇ ବ୍ୟବସାୟ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳର ପ୍ରଦୀପ ବିଶୋଇଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା। ଆଉ ତାଙ୍କ ଠାରୁ ପ୍ରାୟ ୧୦ କିଲୋ ୪ ଶହ ଗ୍ରାମର ଗଞ୍ଜେଇକୁ ହରିୟାଣା ପୋଲିସ ଜବତ କରିଥିଲା। ଏ ନେଇ ହରିୟାଣା ଫରିଦାବାଦ ଜିଲାର ପଲା ଥାନାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇ ଅଧିକ ତଦନ୍ତ କରିବା ସହ ଉକ୍ତ ଗଞ୍ଜେଇ କେଉଁଠାରୁ ଆସିଥିଲା ତାହା ହରିୟାଣା ପୋଲିସ ଅଧିକା ଗୁରୁତ୍ୱ ଦେଇ ଗିରଫ ପ୍ରଦୀପଙ୍କୁ ପଚରାଉଚରା କରିଥିଲା। ଉକ୍ତ ଗଞ୍ଜେଇ ଦାରିଙ୍ଗବାଡି ଥାନା ସୋନପୁର ଅଞ୍ଚଳରୁ ନିଆଯାଇଥିବା ଜାଣିବା ପରେ ମୁଖ୍ୟ ଚାଲାଣକାରୀଙ୍କ ନିକଟରେ ପୋଲିସ ପହଞ୍ଚି ପାରିଥିଲା। ହରିୟାଣା ପୋଲିସ ହରିୟାଣାରୁ ନିଜ ପୋଲିସ ଭ୍ୟାନରେ ଦାରିଙ୍ଗବାଡିରେ ପହଞ୍ଚି ସ୍ଥାନୀୟ ପୋଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି ହରିୟାଣା ନେଇଯାଇଥିବା ଦାରିଙ୍ଗବାଡି ପୋଲିସ ସୂତ୍ରରୁ ଜଣାପଡିଛି ।