ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳୁନାହିଁ। କେବଳ କେମୋଥେରାପିରେ ଚିକିତ୍ସା ସୀମିତ ରହିଯାଇଛି। ଏଭଳି ସ୍ଥିତିରେ ଆବଶ୍ୟକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ କ୍ୟାନସର ଆକ୍ରାନ୍ତଙ୍କୁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଥିପାଇଁ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିବାବେଳେ ଚିକିତ୍ସା ବିଳମ୍ବିତ ହେଉଥିବାରୁ ସେମାନେ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ସରକାରଙ୍କ ଆନ୍ତରିକତା ଅଭାବରୁ ବରଗଡ଼ କ୍ୟାନସର ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ପାରିବା ଜିଲାବାସୀଙ୍କ ପାଇଁ ବିଡ଼ମ୍ବନାର ବିଷୟ ହୋଇଛି।
ବରଗଡ଼ ଜିଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରୁ ୨୦୧୮ରେ କ୍ୟାନସର ପୀଡ଼ିତଙ୍କୁ ନେଇ ଗଠିତ ବରଗଡ଼ର ଫାଇଟର୍ସ ଗ୍ରୁପ ଜିଲାର ବିଭିନ୍ନ ସଙ୍ଗଠନକୁ ଏକତ୍ରିତ କରି ୟୁନାଇଟେଡ୍ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ ଏଟ୍ ବରଗଡ଼ ଗଠନ କରିଥିଲା। ଫୋରମ୍ର ପ୍ରତିନିଧି ଦଳ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ରେ ଏକ ସମ୍ପୂର୍ଣ୍ଣ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଦୃଢ଼ ଦାବି କରିଥିଲେ। ଜିଲାବାସୀଙ୍କ ଆବେଗ ଓ ଦୀର୍ଘଦିନର ଆକାଂକ୍ଷାକୁ ସମ୍ମାନ ଜଣାଇ ସେତେବେଳେ ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏଥିସହ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ୨୦୨୧ରେ ତତ୍କାଳୀନ ବିଜେଡ଼ି ସରକାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରି ଜି ପ୍ଲସ୍ ଫାଇଭ୍ ମଡ଼େଲର କ୍ୟାନସର ହସ୍ପିଟାଲ ପାଇଁ ଡିଜାଇନ୍ ଏବଂ ଏଷ୍ଟିମେଟ୍ ଅନୁମୋଦନ କରିଥିଲେ।
ଏହି କ୍ରମରେ ଗ୍ରାଉଣ୍ଡ ଫ୍ଲୋରରେ ରେଡ଼ିଏଶନ ଥେରାପି ବିଭାଗ ସହିତ ବଙ୍କର, ପ୍ରଥମ ବିଭାଗରେ ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ଓପିଡ଼ି ସହ ୨୦ଟି ଡେ କେୟାର ବେଡ୍, ଦ୍ୱିତୀୟ ମହଲାରେ ପେଟ୍-ସିଟି ଗାମା କ୍ୟାମେରା ଓ ହଟ୍ ଚ୍ୟାମ୍ବର ସହ ନ୍ୟୁକ୍ଲିୟର ମେଡ଼ିସିନ ବିଭାଗ, ତୃତୀୟ ମହଲାରେ ଆଇପିଡ଼ି ଓ ମେଡ଼ିକାଲ ଅଙ୍କୋଲୋଜି, ଚତୁର୍ଥ ମହଲାରେ ସର୍ଜିକାଲ ଅଙ୍କୋଲୋଜି ଆଇପିଡ଼ି ଏବଂ ୨୦ବେଡ୍ ବିଶିଷ୍ଟ ଆଇସିୟୁ ପାଇଁ ମଞ୍ଜୁରୀ ମିଳିଥିଲା। ୨୦୨୧ ଶେଷଭାଗରେ ଟେଣ୍ଡର ଆହ୍ବାନ ସହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଆବଶ୍ୟକ ଯନ୍ତ୍ରପାତି ଓ ବୈଷୟିକ କର୍ମଚାରୀ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୨୪ ଜାନୁୟାରୀ ମାସରେ ୧୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦ ବେଡ୍ ବିଶିଷ୍ଟ ଉକ୍ତ କ୍ୟାନସର ହସ୍ପିଟାଲକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।
କ୍ୟାନସର ହସ୍ପିଟାଲ ଉଦଘାଟନ ହେବା ପରେ ୨ଜଣ ରେଡ଼ିଓ ଅଙ୍କୋଲୋଜିଷ୍ଟ, ୨ଜଣ ମେଡ଼ିକାଲ ଅଙ୍କୋଲୋଜିଷ୍ଟ, ୬ଜଣ ଜିଡ଼ିଏମ୍ଓ ସହ ନର୍ସିଂ ଅଫିସର, ଫାର୍ମାସିଷ୍ଟ, ପରିଚାରକ ଓ ସୁରକ୍ଷା କର୍ମୀଙ୍କ ସମେତ ୧୧୨ଜଣ କର୍ମଚାରୀ ନିଯୁକ୍ତି ପାଇଁ ଅନୁମୋଦନ ମିଳିଥିଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଉକ୍ତ କ୍ୟାନସର ହସ୍ପିଟାଲ ପଛକୁ ଫେରି ଯାଇଥିଲା। ଏଠାରେ ନିଯୁକ୍ତ କ୍ୟାନସର ବିଶେଷଜ୍ଞଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଥିବାବେଳେ କିଛିଦିନ ଧରି ହସ୍ପିଟାଲରେ ତାଲା ମଧ୍ୟ ଝୁଲିଥିଲା। ଗତ କିଛିମାସ ତଳେ ଏଠାରେ ଜଣେ ଡାକ୍ତର (ଡେଣ୍ଟାଲ)ଙ୍କୁ ଅବସ୍ଥାପିତ କରାଯାଇଛି। ହେଲେ ଅସ୍ତ୍ରୋପଚାର, ବିଭିନ୍ନ ପରୀକ୍ଷା ଏବେ ମଧ୍ୟ ଠିକ୍ ଭାବେ ଉପଲବ୍ଧ ହେଉ ନ ଥିବାବେଳେ ବହୁ ପଦବୀ ଖାଲି ପଡ଼ିଛି ଏବଂ କାମୋଥେରାପିରେ ହିଁ ଏଠାରେ ସ୍ବାସ୍ଥ୍ୟସେବା ସୀମିତ ରହିଯାଇଛି। ଅନ୍ୟପଟେ ରାଜ୍ୟ ସରକାର ଉକ୍ତ ହସ୍ପିଟାଲକୁ ଏବେ ପିପିପି ମୋଡ୍ରେ ଚଳାଇବାକୁ ଯୋଜନା କରୁଥିବାବେଳେ ସଂସଦରେ ସ୍ଥାନୀୟ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଉତ୍ତର ଜିଲାବାସୀଙ୍କୁ ବ୍ୟଥିତ କରିଛି। ଏଠାରେ ବିଶେଷଜ୍ଞ ଡାକ୍ତର ନ ଥିବାବେଳେ ଏମ୍ପି ପୁରୋହିତଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଏଠାରେ କ୍ୟାନସର ରୋଗୀଙ୍କ ସ୍କ୍ରିନିଂ ଓ ଚିକିତ୍ସା ପାଇଁ ଇଏନଟି ବିଶେଷଜ୍ଞ, ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ, ସର୍ଜନ ଓ ଆନେସ୍ଥିଓଲୋଜିଷ୍ଟ ନିଯୁକ୍ତ କରାଯାଇଥିବା କହିଥିଲେ। ସେହିପରି ପିପିପି ମୋଡ୍ରେ ହସ୍ପିଟାଲ ଚାଲିଲେ କ୍ୟାନସର ରୋଗୀଙ୍କ ଉପରେ ଚିକିତ୍ସା ଖର୍ଚ୍ଚ ବୋଝ ପଡ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।