ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ):ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୦୭ଟି କେନାଲର ମରାମତି ପାଇଁ ଟେଣ୍ଡର ବାହାରିଥିଲା। ମୌସୁମୀ ବର୍ଷା ଆରମ୍ଭ ପୂର୍ବରୁ ସେସବୁର କାମ ସରିବାର ଥିଲା। କିନ୍ତୁ ବିଳମ୍ବରେ ଟେଣ୍ଡର ଡକାଯିବା ଯୋଗୁ କାମ ମଧ୍ୟ ବିଳମ୍ବରେ ଆରମ୍ଭ ହେଲା। ଇତିମଧ୍ୟରେ ନିର୍ଦ୍ଧାରିତ ଅବଧି ସରିଥିଲେ ମଧ୍ୟ କାମ ସରିନାହିଁ। ବର୍ଷା ଛାଡ଼ିଗଲା ପରେ ବଳକା ରହିଥିବା କେନାଲ ମରାମତି କାମ ହେବ ବୋଲି ଯନ୍ତ୍ରୀମାନେ କହୁଛନ୍ତି। ବର୍ଷା ଋତୁରେ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କେନାଲ ମରାମତି ହେଉଛି। ଯଦି ସେ ସମୟ ପୂର୍ବରୁ ମରାମତି ନ ହେଲା ତେବେ ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି।
ଅନେକ ସ୍ଥାନରେ ଲୋକେ କେନାଲ, ନଦୀ ଆଡ଼ିବନ୍ଧକୁ ଜବରଦଖଲ କରିଦେଲେଣି। କେଉଁଠି ଲୋକେ କେନାଲ ଆଡ଼ିରେ ପରିବା ଚାଷ କରୁଛନ୍ତି ତ ଆଉ କେଉଁଠି ଘରଦ୍ୱାର କରିଦେଲେଣି।ଏଥିପ୍ରତି ଜଳସମ୍ପଦ ବିଭାଗର ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଆଡ଼ିବନ୍ଧ ଜବରଦଖଲ ଯୋଗୁ କେନାଲ ଗୁଡିକ ମଧ୍ୟ ଠିକ ଭାବେ ମରାମତି ହୋଇପାରୁନାହିଁ। ଅନ୍ୟପକ୍ଷରେ ଗତ ଏକ ସପ୍ତାହ ହେବ ଭଞ୍ଜନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ତେଣୁ କେନାଲଗୁଡ଼ିକରେ ବିଭିନ୍ନ ଆଡୁ ପାଣି ଆସୁଛି। କିନ୍ତୁ ତାହା ତଳମୁଣ୍ଡକୁ ଆସୁନାହିଁ। ଇତିମଧ୍ୟରେ ଭଞ୍ଜନଗର, ଡହ, ସୋରଡା ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଯାଇଛି । କିନ୍ତୁ ବାଘୁଆ ଜଳଭଣ୍ଡାର ଏବେ ବି ଶୁଖିଲା ପଡ଼ିଛି। ବୁଗୁଡ଼ା ଅଞ୍ଚଳର ଚାଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଭଞ୍ଜନଗର ଜଳଭଣ୍ଡାରରେ ଶୁକ୍ରବାର ସକାଳ ସୁଦ୍ଧା ୭୪.୫୩ ପ୍ରତିଶତ ପାଣି ମହଜୁଦ ଅଛି। ବାଘୁଆରେ ମାତ୍ର ୧୨ ପ୍ରତିଶତ ପାଣି ଅଛି। ସୋରଡାରେ ୯୦.୫୮, ଡହରେ ୯୦ ପ୍ରତିଶତରୁ ଉଦ୍ଧର୍ବ ପାଣି ମହଜୁଦ ଅଛି। ଆଗକୁ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୩ ଜଳଭଣ୍ଡାରରୁ ବଳକା ପାଣି ଛଡାଯିବା ସମ୍ଭାବନା ରହିଛି। ଏନେଇ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଧିକାଂଶ କେନାଲ ମରାମତି କାମ ସରିଛି। ବଳକା ଥିବା କାମ ବର୍ଷା ଛାଡ଼ିଲେ ହେବ। ଜଳଭଣ୍ଡାରରେ ପାଣି ଭର୍ତ୍ତି ହୋଇଥିବା ଯୋଗୁ ଯେ କୌଣସି ମୁହୂର୍ତ୍ତରେ ପାଣି ଛଡା ଯିବା ସମ୍ଭାବନା ରହିଛି। ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା କହିଛନ୍ତି।