ମୋଦିଙ୍କୁ ନିମନ୍ତ୍ରଣ କଲେ କାନାଡା ପ୍ରଧାନମନ୍ତ୍ରୀ: ଏବେ ହେବ ଆଲୋଚନା

ନୂଆଦିଲ୍ଲୀ,୭ା୬(ପି.ଟି.):କାନାଡାରେ ଆସନ୍ତା ୧୫ରୁ ୧୭ ତାରିଖ ମଧ୍ୟରେ ଜି୭ ସମିଟ୍‌ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିରେ ଯୋଗଦେବେ ବୋଲି ଶୁକ୍ରବାର କହିଛନ୍ତି। ସେ ସେଠାରେ ନବନିର୍ବାଚିତ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ କାନାଡା ପ୍ରତିପକ୍ଷ କାର୍ନି ଟେଲିଫୋନ୍‌ ଯୋଗେ ଆମନ୍ତ୍ରଣ କରିଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସ୍ପନ୍ଦନଶୀଳ ଗଣତନ୍ତ୍ର ଭାରତ ଓ କାନାଡା ଦ୍ୱିପାକ୍ଷିକ ସମ୍ପର୍କ ବଢ଼ାଇବା ଦିଗରେ ନୂଆ ଉତ୍ସାହର ସହ କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାର୍ନିଙ୍କ ପୂର୍ବରୁ ଜଷ୍ଟିନ୍‌ ଟ୍ରୁଡୋଙ୍କ ସରକାର ସମୟରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ନେଇ ଭାରତ-କାନାଡା ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।